ରାୟପୁର: ଶୁକ୍ରବାର ଦିନ ଛତିଶଗଡ଼ ବିଜାପୁର ଜିଲ୍ଲାରେ ସୁରକ୍ଷା କର୍ମୀଙ୍କ ସହ ଏନକାଉଣ୍ଟରରେ ଜଣେ ମହିଳାଙ୍କ ସମେତ ଦୁଇ ଜଣ ମାଓବାଦୀ ନିହତ ହୋଇଛନ୍ତି। ଘଟଣାଟି ମୁଦୁଭଣ୍ଡି - କଓ୍ଵାଡ଼ଗାଓଁ ପାଖ ଜଙ୍ଗଲରେ ଘଟିଛି। ଶୁକ୍ରବାର ସୁରକ୍ଷାକର୍ମୀ ମାଓବାଦୀଙ୍କ ବିରୋଧରେ ଏକ ଅପେରେସନରେ ଯାଇଥିବା ସମୟରେ ସକାଳ ପ୍ରାୟ ୭:୩୦ରେ ଘଟିଛି ଏହି ଘଟଣା। ଛତିଶଗଡ଼ର ପୁଲିସ ଡିଆଇଜି ସୁନ୍ଦରରାଜ ପି ଏହି ସୂଚନା ଦେଇଛନ୍ତି।

Advertisment

ଅପେରେସନଟି କୋବ୍ରା ବଟାଲିୟନ୍‌ ଏବଂ ଛତିଶଗଡ଼ ପୁଲିସ ଦ୍ୱାରା ମିଳିତ ଭାବେ ବସ୍ତରରୁ ପ୍ରାୟ ୪୫୦ କିଲୋମିଟର ଦୂରରେ ଥିବା ଗଙ୍ଗାଲୁରରୁ ଆରମ୍ଭ କରାଯାଇଥିଲା । ଶୁକ୍ରବାର ଦିନ ଅପରେସନ ପାଇଁ ଟିମ ଜଙ୍ଗଲ ମଧ୍ୟ ଦେଇ ଯାଉଥିଲା ସମୟରେ ମାଓବାଦୀମାନେ ତାଙ୍କ ଉପରେ ଗୁଳି ବର୍ଷା କରିଥିଲେ । ଏହାପରେ ସୁରଧାକର୍ମୀ ପାଲଟା ଗୁଳୀଚାଳନା କରିଥିଲେ। ବେଶ୍‌ କିଛି ସମୟ ଗୁଳି ବିନିମୟ ଚାଲିଥିଲା । ଏହାପରେ ୟୁନିଫର୍ମ ପିନ୍ଧା ଅବସ୍ଥାରେ ଦୁଇ ମାଓବାଦୀ ନିହତ ହୋଇଥିବାର ଜଣାପଡ଼ିଥିଲା । ଘଟଣାସ୍ଥଳରୁ ଗୋଟିଏ ୩୦୩ ରାଇଫଲ , ଗୋଟିଏ ୧୨ ବୋର ବନ୍ଧୁକ ଏବଂ ଗୋଟିଏ ଦେଶୀ ବନ୍ଧୁକ ଜବତ କରାଯାଇଛି। ବର୍ତ୍ତମାନ ଅପରେସନ ଚାଲୁଥିବାରୁ ଅଧିକ ସୂଚନା ପରେ ମିଳିବ ବୋଲି କହିଛନ୍ତି ସୁନ୍ଦରରାଜ ପି।