ଚୀନର ପଶୁ ବଜାରରୁ କରୋନା ସଂକ୍ରମଣ ଆରମ୍ଭ ହୋଇଥିଲା : ଗବେଷଣା

ନୂଆଦିଲ୍ଲୀ : ବିଶ୍ବରେ କରୋନା ମହାମାରୀ ଏବେ ୩ୟ ବର୍ଷରେ ପ୍ରବେଶ କରିଛି । ୨୦୧୯ରେ ଚୀନରୁ ଆରମ୍ଭ ହୋଇଥିବା ଏହି ସଂକ୍ରମଣ ସମଗ୍ର ମାନବଜାତି ପାଇଁ ଏକ ବଡ଼ ସଂକଟ ଆଣିଦେଇଥିଲା । ଏହା ସତ୍ତ୍ବେ କେଉଁଠୁ ଓ କିପରି ଏହି ସଂକ୍ରମଣ ଆରମ୍ଭ ହେଲା ତାହାକୁ ନେଇ ଏବେ ବି କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ତେବେ ନିକଟରେ ହୋଇଥିବା ୨ଟି ଗବେଷଣା ଜଣାପଡ଼ିଛି ଯେ ଉହାନର ପଶୁବଜାର ହିଁ କରୋନା ସଂକ୍ରମଣର ଉତ୍ପତ୍ତିସ୍ଥଳ । ଏଠାରୁ ହିଁ କରୋନା ଭୁତାଣୁ ପଶୁ ଶରୀରରୁ ମଣିଷ ଶରୀରରେ ପ୍ରବେଶ କରିଥିଲା ।

ଏହି ଦୁଇଟି ଗବେଷଣାର ସଂଦର୍ଭ ପ୍ରସିଦ୍ଧ ସାଇନ୍ସ ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି । ଉଭୟ ଗବେଷଣା ଲାଗି ଦୁଇଟି ଭିନ୍ନ ଭିନ୍ନ ପ୍ରକାରର ପଦ୍ଧତି ଗ୍ରହଣ କରାଯାଇଥିଲା । କିନ୍ତୁ ଭଭୟ ଗବେଷଣାର ସିଦ୍ଧାନ୍ତ ସମାନ ରହିଛି ଯେ କରୋନା ଭୁତାଣୁ ଚୀନର ଉହାନ ରାଜ୍ୟରେ ଥିବା ହାନାନ ସିଫୁଡ୍ ମାର୍କେଟରୁ ଉତ୍ପତ୍ତି ଲାଭ କରିଥିଲା । ଏଠାରେ ହିଁ କରୋନା ଭୁତାଣୁ ପଶୁ ଶରୀରରୁ ମଣିଷ ଶରୀରରେ ପ୍ରବେଶ କରିଥିଲା ।

ପ୍ରଥମ ଗବେଷଣାକୁ ପ୍ରସିଦ୍ଧ ଜୀବବିଜ୍ଞାନୀ ମାଇକେଲ ଓରୋବି, କେତେକ ଚୀନ ଗବେଷକ ଓ ଆମେରିକାର ଆରିଜୋନା ବିଶ୍ବ ବିଦ୍ୟାଳୟର କେତେକ ଗବେଷକ ମିଳିତ ଭାବେ କରିଥିଲେ । ଏହି ଗବେଷଣାରୁ ଜଣାପଡ଼ିଥିଲା ଯେ ହାନାନ ବଜାରରେ ବିକ୍ରି ହେଉଥିବା କେତେକ ଜୀବନ୍ତ ପଶୁଙ୍କ ଶରୀରରେ କରୋନା ଭୁତାଣୁ ଥିଲା । ଏହା ସମ୍ଭବତଃ କୌଣସି ବିକ୍ରେତା କିମ୍ବା କୌଣସି ଗ୍ରାହକଙ୍କ ଶରୀରକୁ ସଂକ୍ରମିତ ହୋଇଥିଲା ।

୨ୟ ଗବେଷଣାଟି ମାଇକ୍ରୋସ୍କୋପିକ ଆନାଲିସିସ ପଦ୍ଧତି ବ୍ୟବହାର କରିଥିଲା । ଏଥିରୁ ଜଣାପଡ଼ିଛି ପୂର୍ବରୁ କରୋନା ଭୁତାଣୁର ୨ଟି ଲିନିଏଜ୍ ( ପ୍ରକାର ) ଥିଲା ଓ ସମ୍ଭବତଃ ୨୦୧୯, ନଭେମ୍ବର ୧୮ରେ ତାହା ମଣିଷ ଶରୀରକୁ ସଂକ୍ରମିତ ହୋଇଥିଲା ।

ସମ୍ବନ୍ଧିତ ଖବର