ପୁଣି ଡରାଇଲାଣି କରୋନା ; ମହାରାଷ୍ଟ୍ରରେ ୨ଟି ନୂଆ ପ୍ରକାରର କରୋନା ଭୁତାଣୁ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ପୁଣି ଡରାଇଲାଣି କରୋନା ମହାମାରୀ । ଚିନ୍ତାଜନକ ବିଷୟ ହେଉଛି ମହାରାଷ୍ଟ୍ରରେ ଦୁଇଟି ନୂଆ ପ୍ରକାରର କରୋନା ଷ୍ଟ୍ରେନ ଚିହ୍ନଟ ହୋଇଛି ।

ଏହି ଦୁଇ ପ୍ରକାରର କରୋନା ଭୁତାଣୁ ହେଉଛି ଏନ୪୪୦କେ ଓ ଇ୪୮୪ କେ । କେବଳ ମହାରାଷ୍ଟ୍ର ନୁହେଁ ତେଲେଙ୍ଗାନା ଓ କେରଳରେ ବି ଏହି ଦୁଇ ପ୍ରକାରର କରୋନା ଭୁତାଣୁ ରହିଛି ବୋଲି ନିତି ଆୟୋଗର ସଦସ୍ୟ ତଥା ସରକାରଙ୍କ କୋଭିଡ ଟାସ୍କଫୋର୍ସର ମୁଖ୍ୟ ଡ.ଭି.କେ. ପଲ କହିଛନ୍ତି ।

ତେବେ ଏହି ଦୁଇଟି ଷ୍ଟ୍ରେନ ଦ୍ବାରା ଯେ ମହାରାଷ୍ଟ୍ରର କେତେକ ଜିଲ୍ଲାରେ ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଛି, ତାହା କୁହାଯାଇପାରିବ ନାହିଁ ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ, ଦେଶରେ ଏପର୍ଯ୍ୟନ୍ତ ୧୮୭ ଜଣ ବ୍ୟକ୍ତି  ୟୁକେ ଷ୍ଟ୍ରେନ ଦ୍ବାରା ସଂକ୍ରମିତ ହୋଇଥିବାବେଳେ ୬ ଜଣ ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ ଓ ଜଣେ ବ୍ରାଜିଲ ଷ୍ଟ୍ରେନ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି ।

ଦେଶରେ ଏବେ ମହାରାଷ୍ଟ୍ର ଓ କେରଳରେ କରୋନା ସ୍ଥିତି ଚିନ୍ତାଜନକ ରହିଛି । ଏହି ଦୁଇଟି ରାଜ୍ୟରେ ଦେଶର ମୋଟ କରୋନା ଆକ୍ରାନ୍ତଙ୍କ ୭୫ ପ୍ରତିଶତ ଅଛନ୍ତି । ଏହାଛଡ଼ା ମଧ୍ୟପ୍ରଦେଶ, ପଂଜାବ ଓ ଛତିଶଗଡ଼ରେ ସଂକ୍ରମଣ ବଢିଚାଲିଛି ।

କରୋନା ଟୀକାକରଣ ସମ୍ପର୍କରେ ସେ କହିଛନ୍ତି ଯେ ଆଜି ଅପରାହ୍ଣ ସୁଦ୍ଧା ଦେଶରେ ପ୍ରାୟ ୧ କୋଟି ୧୭ ଲକ୍ଷ ୬୪ ହଜାର ଲୋକଙ୍କୁ କରୋନା ଟିକା ଦିଆଯାଇଛି ।

ସମ୍ବନ୍ଧିତ ଖବର