୨ୟ ଥର ପାଇଁ ନୋବେଲ ପୁରସ୍କାର ପାଇବେ ଏହି ଆମେରିକୀୟ ବୈଜ୍ଞାନିକ

ନୂଆଦିଲ୍ଲୀ : ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସ ପକ୍ଷରୁ ବୁଧବାରଦିନ ରସାୟନ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷିତ ହୋଇଛି । ଏବର୍ଷ ୩ ଜଣ ଏହି ସମ୍ମାନଜନକ ପୁରସ୍କାର ପାଇବେ । ସେମାନେ ହେଉଛନ୍ତି କାରୋଲିନ ଆର.ବେରଟୋଜି, ମୋର୍ଟେନ ମେଲଡାଲ ଓ କେ.ବ୍ୟାରେ ସାର୍ପଲେସ ।

କାରୋଲିନ ଆର.ବେରଟୋଜି, ମୋର୍ଟେନ ମେଲଡାଲ ପ୍ରଥମ ଥର ପାଇଁ ଏହି ସମ୍ମାନଜନକ ପୁରସ୍କାର ପାଇବାକୁ ଯାଉଛନ୍ତି । କିନ୍ତୁ ସାର୍ପଲେସ ଏହାକୁ ୨ୟ ଥର ପାଇଁ ପାଇବାକୁ ଯାଉଛନ୍ତି । ପୂର୍ବରୁ ୨୦୦୧ରେ ସେ ଏହି ପୁରସ୍କାର ପାଇଥିଲେ । ଚିରାଲି କାଟାଲାଇଜଡ୍ ଅକ୍ସିଡେସନ ରିଆକ୍ସନ ସଂପର୍କରେ ଗବେଷଣା ପାଇଁ ତାଙ୍କୁ ଏହି ପୁରସ୍କାର ଦିଆଯାଇଥିଲା ।

ଚଳିତ ବର୍ଷ ପାଇଁ ଘୋଷଣା କରାଯାଇଥିବା ୩ ବୈଜ୍ଞାନିକଙ୍କୁ କ୍ଲିକ୍ କେମିଷ୍ଟ୍ରି ଓ ବାୟୋ ଅର୍ଥୋଗୋନାଲ କେମିଷ୍ଟ୍ରିର ବିକାଶ ପାଇଁ ଏହି ପୁରସ୍କାର ପାଇଁ ବିଜେତା ଘୋଷଣା କରାଯାଇଛି ବୋଲି ନୋବେଲ ପୁରସ୍କାର କମିଟି ପକ୍ଷରୁ କୁହାଯାଇଛି ।

ପ୍ରାୟ ୨ ଦଶନ୍ଧି ତଳେ ପ୍ରଫେସର ସାର୍ପଲେସ ହିଁ ପ୍ରଥମ ଥର ପାଇଁ କ୍ଲିକ୍ କେମିଷ୍ଟ୍ରି କଥା କହିଥିଲେ । ଏହା ଏକ ପ୍ରକାରର ସରଳ ରାସାୟନିକ ପ୍ରତିକ୍ରିୟା ଯେଉଁଥିରେ ଦ୍ରୁତ ଗତିରେ ପ୍ରତିକ୍ରିୟା ଘଟିଥାଏ ଓ ପାର୍ଶ୍ବ ପ୍ରତିକ୍ରିୟା ହୋଇନଥାଏ । ପ୍ରଫେସର ସାର୍ପଲେସ ଆମେରିକାର ସ୍କ୍ରିପସ ରିସର୍ଚ୍ଚଠାରେ କେମିଷ୍ଟ୍ରି ବିଭାଗର ମୁଖ୍ୟ ଅଛନ୍ତି ।

ରସାୟନ ବିଜ୍ଞାନ ନୋବେଲକୁ ବୈଜ୍ଞାନିକ ଆଲଫ୍ରେଡ ନୋବେଲଙ୍କ  ଇଚ୍ଛାପତ୍ର ବା ଓ୍ବିଲ ଅନୁସାରେ ରୟାଲ ସ୍ୱିଡେନ ଏକାଡେମୀ ଅଫ ସାଇନ୍ସ ଦ୍ୱାରା ପ୍ରଦାନ କରାଯାଇଥାଏ । ବର୍ତ୍ତମାନ ପର୍ଯ୍ୟନ୍ତ କମିଟି ୧୧୩ ଜଣ ବୈଜ୍ଞାନିକ ରସାୟନ ବିଜ୍ଞାନରେ ନୋବେଲ ପାଇଛନ୍ତି  ଓ ସେମାନଙ୍କ ମଧ୍ୟରୁ ସାତ ଜଣ ମହିଳା।

 

ସମ୍ବନ୍ଧିତ ଖବର