ପ୍ୟୋଙ୍ଗୟାଙ୍ଗ: ଉତ୍ତରକୋରିଆର ୧୬ ଓ ୧୭ ବର୍ଷର ଦୁଇଜଣ ହାଇସ୍କୁଲ ଛାତ୍ରଙ୍କୁ ନୃଶଂସ କିମ୍ ଜଂଗ ଉନ୍ ସରକାର ମାମୁଲି ଭୁଲ୍ ପାଇଁ ମୃତ୍ୟୁଦଣ୍ଡ ପ୍ରଦାନ କରିଛନ୍ତି। ବାଳକ ଦୁଇଜଣଙ୍କ ଦୋଷ ହେଲା ସେମାନେ ଦୁଇ ଶତ୍ରୁଦେଶ ଦକ୍ଷିଣକୋରିଆ ଓ ଆମେରିକାର ଚଳଚ୍ଚିତ୍ର ଦେଖୁଥିଲେ। କେ-ଡ୍ରାମା ବୋଲି କୁହାଯାଉଥିବା ଏହି ଚଳଚ୍ଚିତ୍ର ଉତ୍ତରକୋରିଆରେ ନିଷିଦ୍ଧ।
ରିପୋର୍ଟ ଅନୁସାରେ ଗତ ଅକ୍ଟୋବର ମାସରେ ଉତ୍ତରକୋରିଆର ରୢାଙ୍ଗାଙ୍ଗ ପ୍ରଦେଶର ଏକ ସ୍କୁଲରେ ପଢ଼ୁଥିବା ଦୁଇ ଛାତ୍ର ଅନେକ ଦକ୍ଷିଣ କୋରିଆ ଓ ଆମେରିକୀୟ ଚଳଚ୍ଚିତ୍ର ଦେଖିଥିଲେ। ଧରାପଡ଼ିବା ପରେ ସେହି ମାସରେ ହିଁ ସହରର ଏକ ବିମାନଘାଟିରେ ବାଳକଦୁହିଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ହତ୍ୟାକାଣ୍ଡ ଗତ ଅକ୍ଟୋବର ମାସରେ ଘଟିଥିଲେ ମଧ୍ୟ ତାହା ଗତ ସପ୍ତାହରେ ହିଁ ସାମନାକୁ ଆସିଛି।