ଦିଲ୍ଲୀରେ ସିଏଏ ବିରୋଧୀ ଆନ୍ଦୋଳନ: ନିୟନ୍ତ୍ରଣ ଦାୟିତ୍ବରେ ୨ ଓଡ଼ିଆ ପୁଲିସ୍ ଅଧିକାରୀ

ନୂଆଦିଲ୍ଲୀ: ଦିଲ୍ଲୀଠାରେ ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ଛାତ୍ର ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଗୋଟିଏ ପଟେ ଛାତ୍ର ଆନ୍ଦୋଳନ ଲାଗି ରହିଥିବାବେଳେ ଅନ୍ୟପଟେ ପରିସ୍ଥିତିର ମୁକାବିଲା କରିବା ପାଇଁ ପୁଲିସ୍‌ ପକ୍ଷରୁ ଉଦ୍ୟମ କରାଯାଉଛି। ପରିସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ୨ ଜଣ ଓଡ଼ିଆ ଆଇପିଏସ୍‌ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଥିବା ଜଣାପଡ଼ିଛି। ଦୁଇ ଅଧିକାରୀ ହେ‌େଲ, ଦିଲ୍ଲୀ ପୁଲିସ କମିସନର ଅମୂଲ୍ୟ ପଟ୍ଟନାୟକ ଏବଂ ଦକ୍ଷିଣ-ପୂର୍ବ ଦିଲ୍ଲୀର ଡେପୁଟି କମିସନର ଅଫ୍ ପୁଲିସ ଚିନ୍ମୟ ବିଶ୍ବାଳ।

ଚିନ୍ମୟ ବିଶ୍ବାଳ

ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀ ପୋଲିସ କମିସନର ଶ୍ରୀ ପଟ୍ଟନାୟକ ବରିଷ୍ଠ ପୁଲିସ ଅଧିକାରୀମାନଙ୍କ ସହିତ ବୈଠକ କରି କିଭଳି ଶାନ୍ତିଶୃଙ୍ଖଳା ପ୍ରତିଷ୍ଠା କରାଯାଇପାରିବ ଏବଂ ଆନ୍ଦୋଳନରୁ ଛାତ୍ରଛାତ୍ରୀ ମାନଙ୍କୁ ନିବୃତ୍ତ କରାଯିବ, ସେ ନେଇ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଛନ୍ତି। ସେ ୨୪ ଘଣ୍ଟା ସ୍ଥିତି ଉପରେ ନଜର ରଖିବା ସହିତ ପୁଲିସକୁ ସଂଯମତା ସହ ପରିସ୍ଥିତିର ଅନୁଧ୍ୟାନ କରିବା ପାଇଁ ପରାମର୍ଶ ଦେଇଥିବ ଜଣାପଡ଼ିଛି। ସେହିଭଳି, ଦକ୍ଷିଣ-ପୂର୍ବ ଦିଲ୍ଲୀର ଡେପୁଟି କମିସନର ଅଫ୍ ପୁଲିସ ଚିନ୍ମୟ ବିଶ୍ବାଳ ଦକ୍ଷିଣ-ପୂର୍ବ ଦିଲ୍ଲୀରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପୁଲିସ କର୍ମଚାରୀ ମାନଙ୍କୁ ନିର୍ଦ୍ଦେଶ ଦେବା ସହିତ ଆନ୍ଦୋଳନରୁ ନିବୃତ୍ତ ହେବା ପାଇଁ ଛାତ୍ରଛାତ୍ରମାନଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି। ଏବେ ଏହି ଦୁଇଜଣ ଓଡ଼ିଆ ପୋଲିସ ଅଧିକାରୀଙ୍କ ତତ୍ପରତାକୁ ନେଇ ସବୁଆଡ଼େ ଚର୍ଚ୍ଚା ଜାରି ରହିଛି।

ଦିଲ୍ଲୀ ପୁଲିସ କମିସନର ଅମୂଲ୍ୟ ପଟ୍ଟନାୟକ (Indian Express)

ଉଲ୍ଲେଖଯୋଗ୍ୟ, ୧୯୮୫ କ୍ୟାଡରର ଆଇପିଏସ୍ ଅଧିକାରୀ ଅମୂଲ୍ୟ ପଟ୍ଟନାୟକ ୨୦୧୭ରୁ ଦିଲ୍ଲୀ ପୁଲିସ କମିସନର ରୂପେ ଦାୟିତ୍ବ ନିର୍ବାହ କରୁଥିବା ବେଳେ ଜାନୁଆରି ୨୦୨୦ରେ ସେ ଅବସର ନେବେ। ଅପରପକ୍ଷେ ୨୦୦୮ର କ୍ୟାଡରର ଓଡ଼ିଆ ଆଇପିଏସ୍ ଚିନ୍ମୟ ବିଶ୍ବାଳ ୨୦୧୭ରୁ ଦକ୍ଷିଣ-ପୂର୍ବ ଦିଲ୍ଲୀର ଡେପୁଟି କମିଶନର ପୁଲିସ ରୂପେ ଅବସ୍ଥାପିତ ଅଛନ୍ତି ଏବଂ ଜଣେ ଦକ୍ଷ ପୁଲିସ ଅଫିସର ରୂପେ ସେ ପରିଚିତ।

ସମ୍ବନ୍ଧିତ ଖବର