ମହାବାତ୍ୟା ‘ଅମ୍ଫାନ’ର ସଠିକ ଆକଳନ ଓ ଏହାର ମୁକାବିଲା ପାଇଁ ୨ ଓଡ଼ିଆ ଅଧିକାରୀଙ୍କ ଉପରେ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ : କରୋନା ମହାବାତ୍ୟା ବେଳେ ମହାବାତ୍ୟା ‘ଅମ୍ଫାନ’ର ସଠିକ ଆକଳନ ଓ ଏହାର ମୁକାବିଲା ପାଇଁ ଦୁଇ ବରିଷ୍ଠ ଓଡ଼ିଆ ଅଧିକାରୀ ଭିନ୍ନ ଭିନ୍ନ ଭୂମିକାରେ ରହି ଗୁରୁଦାୟିତ୍ବ ନିର୍ବାହ କରୁଛନ୍ତି। ଦୁଇ ଓଡ଼ିଆ ଅଧିକାରୀ ହେଲେ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର (ଆଇଏମ୍‌ଡି)ର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଓ ଜାତୀୟ ବିପର୍ଯ୍ୟୟ ପରିଚାଳନା ବାହିନୀ (ଏନ୍‌ଡିଆରଏଫ୍‌)ର ମହାନିର୍ଦ୍ଦେଶକ ସତ୍ୟନାରାୟଣ ପ୍ରଧାନ। ଦୁଇ ଓଡ଼ିଆ ଅଧିକାରୀ ‘ଅମ୍ଫାନ’ର ଗତିବିଧି ଉପରେ ତୀକ୍ଷ୍‌ଣ ନଜର ରଖିବା ସହିତ ଏହାର ମୁକାବିଲା ପାଇଁ କିଭଳି ପ୍ରସ୍ତୁତି କରାଯାଇପାରିବ ଓ କି କି ପଦକ୍ଷେପ ନିଆଯିବ ସେ ନେଇ ସେମାନେ ସେମାନଙ୍କ ଦାୟିତ୍ବ ଅନ୍ତର୍ଗତ କାର୍ଯ୍ୟ ସମ୍ପାଦନ କରୁଛନ୍ତି।

ବିଗତ ବର୍ଷଗୁଡ଼ିକରେ ଫାଇଲିନ୍‌, ହୁଡ୍‌ହୁଡ଼୍‌, ତିତ୍‌ଲି, ବୁଲ୍‌ବୁଲ୍‌ ଓ ଫନି ବାତ୍ୟାର ସଠିକ୍‌ ଆକଳନ କରି ଖ୍ୟାତି ଅର୍ଜନ କରିଥିବା ଆଇଏମ୍‌ଡିର ମହାନିର୍ଦ୍ଦେଶକ ଶ୍ରୀ ମହାପାତ୍ର ‘ଅମ୍ଫାନ’ର ପ୍ରାକ୍‌ ଆକଳନକୁ ନେଇ ତତ୍ପର ରହିଛନ୍ତି। ତାଙ୍କ ନେତୃତ୍ବରେ ସାଇକ୍ଲୋନ୍‌ ୱାର୍ନିଂ ବିଭାଗରେ ସମସ୍ତ ବୈଜ୍ଞାନିକମାନେ ଅତ୍ୟାଧୁନିକ ଉପକରଣ ଉପଯୋଗ କରି ସଦ୍ୟତମ ପୂର୍ବାନୁମାନ କରୁଛନ୍ତି ମହାବାତ୍ୟାକୁ ନେଇ। ରାଜ୍ୟ ସରକାର ତଥା ସମ୍ବନ୍ଧିତ ବିଭାଗଗୁଡ଼ିକୁ ନିୟମିତ ବୁଲେଟିନ୍‌ ଜାରି କରାଯାଉଛି, ଯାହା ଫଳରେ ମହାବାତ୍ୟାର ମୁକାବିଲା ନେଇ ପ୍ରସ୍ତୁତି କରାଯାଇପାରୁଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, କ୍ୟାବିନେଟ୍‌ ସଚିବ ତଥା ଜାତୀୟ ବିପର୍ଯ୍ୟୟ ପରିଚାଳନା କତ୍ତୃର୍ପକ୍ଷଙ୍କୁ ନିୟମିତ ବ୍ୟବଧାନରେ ବାତ୍ୟା ସମ୍ପର୍କିତ ପ୍ରାକ୍‌ ସୂଚନା ଶ୍ରୀ ମହାପାତ୍ରଙ୍କ ଦ୍ବାରା ଅବଗତ କରାଯାଉଛି।

ଅପରପକ୍ଷେ, ୨୦୧୯ ଜାନୁଆରୀ ୨୨ ତାରିଖରୁ ଜାତୀୟ ବିପର୍ଯ୍ୟୟ ପରିଚାଳନା ବାହିନୀ (ଏନ୍‌ଡିଆରଏଫ୍‌)ର ମହାନିର୍ଦ୍ଦେଶକ ରୂପେ କାର୍ଯ୍ୟ କରୁଥିବା ୧୯୮୮ ବ୍ୟାଚ୍‌ ଝାଡ଼ଖଣ୍ଡ ଆଇପିଏସ୍‌ ଅଧିକାରୀ ସତ୍ୟନାରାୟଣ ପ୍ରଧାନ ଗତବର୍ଷ ଓଡ଼ିଶାରେ ପ୍ରଳୟଙ୍କରୀ ଫନି ବାତ୍ୟାର ମୁକାବିଲାକୁ ନେଇ ଯେଉଁଭଳି ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିବା ସହିତ ଯେପରି ସକ୍ରିୟ ଭୂମିକା ନିର୍ବାହ କରିଥିଲେ ଏଥର ମଧ୍ୟ ‘ଅମ୍ଫାନ’ ପ୍ରସ୍ତୁତିରେ ସେହିପରି ରଣକୌଶଳ ଅବଲମ୍ବନ କରୁଛନ୍ତି। କରୋନା ମୁକାବିଲା ସହିତ ‘ଅମ୍ଫାନ’ର ମୁକାବିଲା କରିବା ଶ୍ରୀ ପ୍ରଧାନଙ୍କ ଲାଗି ଡବଲ ଚାଲେଞ୍ଜ ହୋଇଥିଲେ ମଧ୍ୟ ସେ ଆଇଏମ୍‌ଡିର ସୂଚନାକୁ ଭିତ୍ତି କରି ଏନ୍‌ଡିଆରଏଫ୍‌ର ୩୭ଟି ସ୍ବତନ୍ତ୍ର ଦଳକୁ ବାତ୍ୟା ମୁକାବିଲା ଲାଗି ମୁତୟନ କରିଛନ୍ତି। ଗତ ଗୋଟିଏ ସପ୍ତାହରୁ ସେ ରାଜ୍ୟ ଓ ବିଭିନ୍ନ ବିଭାଗ ସହିତ ବାତ୍ୟା ମୁକାବିଲାକୁ ନେଇ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ଏନ୍‌ଡିଆରଏଫ୍‌କୁ ସାମାଜିକ ଦୂରତା ଓ ସାନିଟାଇଜେସନକୁ ଧ୍ୟାନରେ ରଖି ସ୍ଥାନାନ୍ତରଣ କାର୍ଯ୍ୟ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଦିଲ୍ଲୀରେ ଏନ୍‌ଡିଆରଏଫ୍‌ ମୁଖ୍ୟାଳୟରୁ ୨୪ ଘଣ୍ଟା ସ୍ଥିତି ଉପରେ ନଜର ଓ ମନିଟିରିଂ କରିବା ସହିତ ଏନ୍‌ଡିଆରଏଫ୍‌ ଯେ କୌଣସି ଆହ୍ବାନକୁ ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ବୋଲି ଏହି ବରିଷ୍ଠ ଓଡ଼ିଆ ପୁଲିସ ଅଧଇକାରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର