ନୂଆଦିଲ୍ଲୀ : ବାହାନଗା ରେଳ ଦୁର୍ଘଟଣା ସଂପର୍କିତ ରେଳ ନିରାପତ୍ତା କମିସନରଙ୍କ ରିପୋର୍ଟ ଦାଖଲ କରାଯିବା ପରେ ରେଳ ବୋର୍ଡ ଦ୍ବାରା ଆଉ ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ବଦଳି କରାଯାଇଛି। ସିନିୟର ଡିସିଏମ ରାଜେଶ କୁମାର ଓ ଡିଓଏମ କୋ-ଅର୍ଡିନେସନ ଏସ୍‌କେ ବର୍ମାଙ୍କ ବଦଳି ହୋଇଛି। ଏଥିସହିତ ରେଳ ବୋର୍ଡ ଚକ୍ରଧରପୁର ଓ ରାଞ୍ଚି ରେଳ ମଣ୍ଡଳର ୧୪ ଜଣ ଅଧିକାରୀଙ୍କ ଅଦଳବଦଳ କରାଯାଇଛି। ଖଡ଼ଗପୁର ମଣ୍ଡଳରେ ବଦଳି ପରେ ଖାଲି ସ୍ଥାନରେ ଚକ୍ରଧରପୁର ମଣ୍ଡଳର ପଦାଧିକାରୀମାନଙ୍କୁ ନିଯୁକ୍ତି ଦିଆଯାଇଛି। ଏଥିରେ ଚକ୍ରଧରପୁରର ସେଫ୍ଟି ଅଫିସର ଆଲୋକକୃଷ୍ଣ ଖଡ଼ଗପୁରରେ ସିନିୟର ଡିଓଏମ ଏବଂ ଓମ୍‌ପ୍ରକାଶ ଚାରଣଙ୍କୁ ସିନିୟର ଡିସିଏମ ଭାବେ ନିଯୁକ୍ତି ପାଇଛନ୍ତି।

Advertisment

ବଦଳି ତାଲିକାରେ ଖଡ଼ଗପୁର ରେଳ ମଣ୍ଡଳରୁ ଦୁଇ, ଚକ୍ରଧରପୁରରୁ ତିନି, ରାଞ୍ଚି ରେଳ ମଣ୍ଡଳର ଦୁଇ ଅଧିକାରୀଙ୍କ ନାମ ସାମିଲ ରହିଛି। ସୂଚନାଯୋଗ୍ୟ, ବାଲେଶ୍ବର ଟ୍ରେନ ଦୁର୍ଘଟଣା ପରେ ରେଳ ନିରାପତ୍ତା କମିସନଙ୍କ ତଦନ୍ତ ଚାଲିଥିବାବେ‌ଳେ ଗତ ଜୁନ ୨୦ରେ ଖଡ଼ଗପୁର ଡିଆର୍‌ଏମ୍‌ ଏମ୍‌ ସୁଜାତା ହାସମି, ପ୍ରିନ୍ସିପାଲ ଚିଫ କମର୍ସିଆଲ ମ୍ୟାନେଜର ‌ମହମ୍ମଦ ଓୱେଶ, ଦକ୍ଷିଣ ପୂର୍ବ ରେଳ ଜୋନ୍‌ର ପ୍ରନ୍ସିପାଲ ଚିଫ ସିଗନାଲ ଓ ଟେଲିକମ୍ୟୁନିକେସନ ଇଂଜିନିୟର ପିଏମ୍‌ ସିକଦର, ପ୍ରିନ୍ସିପାଲ ଚିଫ ସେଫ୍ଟି ଅଫିସର ଚନ୍ଦନ ଅଧିକାରୀ ଓ ପ୍ରନ୍ସିପାଲ ଚିଫ ସିକ୍ୟୁରିଟି କମିସନର ଡି.ବି.କସାରଙ୍କୁ ବଦଳି କରାଯାଇଥିଲା। ରେଳ ନିରାପତ୍ତା କମିସନଙ୍କ ରିପୋର୍ଟ ଦାଖଲ ପରେ ଜୁନ ୩୦ରେ ଦକ୍ଷିଣ ପୁର୍ବ ରେଳ ଜୋନ୍‌ର ଜିଏମ୍‌ ଅର୍ଚ୍ଚନା ଯୋଶୀଙ୍କୁ ବଦଳି କରିଦିଆଯାଇଥିଲା।