ନୂଆଦିଲ୍ଲୀ : ଭାରତୀୟ ସେନାରେ କାର୍ଯ୍ୟରତ ଦୁଇ ଓଡ଼ିଆ ଯବାନ ସୁନୀଲ କୁମାର ବିଶ୍ୱାଳ ଏବଂ ଅବିନାଶ ଜେନାଙ୍କୁ ଲେଫ୍ଟନାଣ୍ଟ ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ଦୁହିଁଙ୍କୁ ସ୍ୱତନ୍ତ୍ର ବର୍ଗରେ ଭାରତୀୟ ସେନାର ଲେଫ୍ଟନାଣ୍ଟ ଭାବେ ସ୍ଥାୟୀ କମିସନ ମିଳିଛି। ଭାରତୀୟ ସେନା ଯବାନଙ୍କ ପାଇଁ ଆୟୋଜିତ ହେଉଥିବା ସର୍ଭିସ୍ ସିଲେକ୍ସନ ବୋର୍ଡ (ଏସ୍ଏସ୍ବି) ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ଲେଫ୍ଟନାଣ୍ଟ ସୁନୀଲ ଓ ଅବିନାଶ ଏହି ଗୌରବ ହାସଲ କରିଛନ୍ତି ।
ଚଳିତବର୍ଷ ଜାତୀୟସ୍ତରରେ ପ୍ରାୟ ୫ ହଜାର ପ୍ରାର୍ଥୀ ଏସ୍ଏସ୍ବି ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ମାତ୍ର ୧୯ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଏହି ୧୯ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ସୁନୀଲ ଓ ଅବିନାଶ। ସୁନୀଲ ଢେଙ୍କାନାଳ ଜିଲ୍ଲା ଗେଙ୍ଗୁଟିଆ ଅନ୍ତର୍ଗତ ଗୁରୁଜଙ୍ଗ ଗ୍ରାମର ମଧୁସୂଦନ ବିଶ୍ୱାଳଙ୍କ ପୁଅ। ସେହିଭଳି, ଅବିନାଶଙ୍କ ଘର ଭଦ୍ରକ ଜିଲ୍ଲା ଚାନ୍ଦବାଲିର ସତ୍ୟନାରାୟଣ କଲୋନିରେ। ତାଙ୍କ ପିତା ବିଜୟ କୁମାର ଜେନା ଜଣେ ଶିକ୍ଷକ।