‘ୟାସ୍’ ପୂର୍ବାନୁମାନ ଓ ମୁକାବିଲା ରଣନୀତିରେ ସଫଳ: ପୁଣିଥରେ ଚର୍ଚ୍ଚାରେ ୨ ଓଡ଼ିଆ ଅଧିକାରୀ

ନୂଆଦିଲ୍ଲୀ : ସାମୁଦ୍ରିକ ଝଡ଼ ‘ୟାସ୍‌’କୁ ନେଇ ପୂର୍ବାନୁମାନ ଏବଂ ମୁକାବିଲା ପାଇଁ ରଣନୀତିକୁ ନେଇ ଦୁଇ ଓଡ଼ିଆ ଅଧିକାରୀ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ଜଣେ ହେଉଛନ୍ତି, ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର। ଅନ୍ୟଜଣେ ଜାତୀୟ ବିପର୍ଯ୍ୟୟ ପରିଚାଳନା ବାହିନୀ (ଏନ୍‌ଡିଆରଏଫ୍)ର ମହାନିର୍ଦ୍ଦେଶକ ସତ୍ୟନାରାୟଣ ପ୍ରଧାନ।

ଆଇଏମ୍‌ଡି ନିର୍ଦ୍ଦେଶକ ଶ୍ରୀ ମହାପାତ୍ର ଗୋପାଳପୁର, ପାରାଦୀପ ଓ କୋଲ୍‌କାତାରେ ଥିବା ଡପ୍‌ଲାର୍‌ ରାଡର୍‌ ଦ୍ବାରା ‘ୟାସ୍’ର ଗତିବିଧିକୁ ନିରୀକ୍ଷଣ କରାଯିବା ସହିତ ଦିନରାତି ଏହାର ପ୍ରତ୍ୟେକ ଗତିବିଧି ଉପରେ ତୀକ୍ଷ୍‌ଣ ନଜର ରଖିଥିଲେ। ଆଇଏମ୍‌ଡିର ସାଇକ୍‌ଲୋନ ୱାର୍ଣ୍ଣିଂ ଭିଜନ୍‌ର ବୈଜ୍ଞାନିକମାନଙ୍କ ତଥ୍ୟକୁ ଆଧାର କରି ପୂର୍ବାନୁମାନ ସହିତ ସମସ୍ତ ପ୍ରକ୍ରିୟାକୁ ତ୍ବରାନିତ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କ୍ୟାବିନେଟ ସଚିବଙ୍କ ଦ୍ବାରା ବାତ୍ୟା ପ୍ରସ୍ତୁତିକୁ ନେଇ କରାଯାଇଥିବା ସମୀକ୍ଷା ବୈଠକରେ ଶ୍ରୀ ମହାପାତ୍ର ଯେଉଁ ପରାମର୍ଶ ଦେଇଥି‌ଲେ, ତଦନୁଯାୟୀ ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ‘ସାଇକ୍ଲୋନମ୍ୟାନ୍‌’ ରୂପେ ପରିଚିତ ଶ୍ରୀ ମହାପାତ୍ର ବର୍ତ୍ତମାନ ସୁଦ୍ଧା ୧୫୦ଟି ବାତ୍ୟାର ପୂର୍ବାନୁମାନ କରିସାରିଛନ୍ତି। ବିଗତ ବର୍ଷଗୁଡିକରେ ଫାଇଲିନ୍‌, ହୁଡ୍‌ହୁଡ୍‌, ତିତ୍‌ଲି, ଫନି, ବୁଲ୍‌ବୁଲ୍‌, ଅମ୍ଫାନ୍ ଭଳି ବାତ୍ୟାର ସଠିକ୍ ଆକଳନ କରି ଖ୍ୟାତି ଅର୍ଜନ କରିଥିଲେ। ବାତ୍ୟା ‘ୟାସ୍’ ପୂର୍ବରୁ ଚଳିତ ମାସରେ ଦ୍ବିତୀୟ ସପ୍ତାହରେ ଆରବ ସାଗରରୁ ସୃଷ୍ଟି ହୋଇଥିବା ‘ତାଉତେ’ ବାତ୍ୟାର ମଧ୍ୟ ଶ୍ରୀ ମହାପାତ୍ର ଆଗୁଆ ପୂର୍ବାନୁମାନ କରିଥିଲେ।

ଅନ୍ୟ ଜଣେ ଓଡ଼ିଆ ଅଧିକାରୀ ହେଉଛନ୍ତି ଏନ୍‌ଡିଆରଏଫ୍‌ର ମହାନିର୍ଦ୍ଦେଶକ ସତ୍ୟନାରାୟଣ ପ୍ରଧାନ। ଆଇଏମ୍‌ଡିର ତଥ୍ୟ ଓ ସୂଚନା ଆଧାରରେ ଶ୍ରୀ ପ୍ରଧାନ ବାତ୍ୟାର ମୁକାବିଲା ପାଇଁ ଫୋର୍ସ ନିୟୋଜନର ରଣନୀତି ପ୍ରସ୍ତୁତ କରିଥିଲେ। ପ୍ରଥମଥର ପାଇଁ ବାତ୍ୟା ‘ୟାସ୍’ର ମୁକାବିଲାରେ ୫ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଏନ୍‌ଡିଆରଏଫ୍‌ର ୧୧୫ଟି ଟିମ୍‌କୁ ମୁତୟନ କରାଯାଇଥିଲା। ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବା ତଥା ବାତ୍ୟା ପରବର୍ତ୍ତୀ ସ୍ଥିତିରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ଏନ୍‌ଡିଆରଏଫ୍ ବାହିନୀ ସକ୍ରିୟ ଭୂମିକା ନିର୍ବାହ କରିଥିଲା। କୋଭିଡ୍ ମହାମାରୀର ଦ୍ବିତୀୟ ଲହରରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଏନ୍‌ଡିଆରଏଫ୍ ପାଇଁ ବିଶେଷ ଆହ୍ବାନପୂର୍ଣ୍ଣ ଥିବାବେଳେ ପ୍ରଥମଥର ପାଇଁ ବାତ୍ୟା ‘ୟାସ୍’ର ମିସନ୍‌ରେ ଏନ୍‌ଡିଆରଏଫ୍‌ ଟିମ୍‌ର ସଦସ୍ୟମାନେ ପିପିଇ କିଟ୍ ପିନ୍ଧି ସୁରକ୍ଷିତ ଉପକରଣ ସହିତ କାର୍ଯ୍ୟ ସମ୍ପାଦନା କରିଥିଲେ। ଦିଲ୍ଲୀର ଏନ୍‌ଡିଆରଏଫ୍ ମୁଖ୍ୟାଳୟରୁ ଶ୍ରୀ ପ୍ରଧାନ ୨୫ ଘଣ୍ଟା ବାତ୍ୟା ‘ୟାସ୍’ର ସ୍ଥିତି ଉପରେ ନଜର ରଖିବା ଓ ମନିଟରିଂ କରିବା ସହିତ ଯେ କୌଣସି ଆହ୍ବାନକୁ ମୁକାବିଲା କରିବାକୁ ସେ ମିସନ୍‌ରେ ସାମିଲଥିବା ସଦସ୍ୟମାନଙ୍କର ମନୋବଳକୁ ଦୃଢ଼ କରୁଥିଲେ। ଫଳରେ, ବାତ୍ୟାର ପୂର୍ବାନୁମାନ ତଥା ମୁକାବିଲାରେ ସକ୍ରିୟ ଭୂମିକା ତୁଲାଇଥିବା ଦୁଇ ଓଡ଼ିଆ ଅଧିକାରୀଙ୍କୁ ନେଇ ସବୁଠି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର