୪ ବିଦ୍ରୋହୀ ବିଚାରପତିଙ୍କ ସହ ସାମିଲ ହେଲେ ଆଉ ୨ ବିଚାରପତି, ସମଗ୍ର ଘଟଣାକ୍ରମ ଉପରେ ସରକାର ରଖିଛନ୍ତି ତୀକ୍ଷ୍ଣ ନଜର

ବିଚାରପତିମାନଙ୍କ ଏପ୍ରକାର ଆଚରଣ ନ୍ୟାୟପାଳିକାର ଗରିମାକୁ ସାଧାରଣରେ ନିନ୍ଦିତ କରାଇଛି: ପୂର୍ବତନ ଆଟର୍ଣ୍ଣି ଜେନେରାଲ ସୋଲି ଜେ. ସରାବ୍‌ଜୀ

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍‌କୋର୍ଟରେ ଚାଲିଥିବା ଅନିୟମିତତା ସଂପର୍କରେ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ସୁପ୍ରିମ୍‌କୋର୍ଟର ଚାରି ବରିଷ୍ଠ ବିଚାରପତି ଜଷ୍ଟିସ୍‌ ଜେ.ଚେଲମେଶ୍ୱର, ରଞ୍ଜନ ଗୋଗୋଇ, ଏମ୍‌.ବି.ଲୋକୁର ଏବଂ କୁରିଅନ ଜୋସେଫ୍‌ ଅଭିଯୋଗ କରିବାପରେ ଏବେ ସେମାନଙ୍କ ସହ ସାମିଲ ହୋଇଛନ୍ତି ସୁପ୍ରିମ୍‌କୋର୍ଟର ଆଉ ଦୁଇ ବିଚାରପତି ଏନ୍‌ଭି ରମନ୍ନା ଓ ଶରଦ ଅରବିନ୍ଦ ବୋବଦେ। ଏମାନେ ମଧ୍ୟ ପୂର୍ବ ବିଚାରପତିମାନଙ୍କ ସହ ସ୍ୱର ମିଳାଇ କହିଛନ୍ତି ଯେ ସୁପ୍ରିମକୋର୍ଟରେ ବିଚାରପତିଙ୍କୁ ମାମଲା ଆବଣ୍ଟନରେ ବ୍ୟାପକ ଅନିୟମିତତା ହେଉଛି। ଏବଂ ସୁପ୍ରିମ୍‌କୋର୍ଟର ପ୍ରଶାସନ ଓ ବିଧିବ୍ୟବସ୍ଥା ଉଚିତ୍‌ ଶୈଳୀରେ ପରିଚାଳିତ ହେଉନାହିଁ। ଆଉ ଏହି ସବୁ ଅନିୟମିତତା ପାଇଁ ସେମାନେ ସିଧାସଳଖ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ଆଡ଼କୁ ଆଙ୍ଗୁଠି ଉଠାଇବା ସହ ତାଙ୍କ ଉପରେ ଦୋଷାରୋପ କରିଛନ୍ତି।

hindustantimes

ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ଏକାଧିକ ବିଚାରପତି ବିଦ୍ରୋହ ଘୋଷଣା କରିବା ଘଟଣାକୁ ମୋଦି ସରକାର ଅତ୍ୟନ୍ତ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ଏହି ଘଟଣା ପରେ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସାଉଥ୍‌ ବ୍ଲକ୍‌ ସ୍ଥିତ ସରକାରୀ କାର୍ଯ୍ୟାଳୟରେ ଏକ ଜରୁରୀ ବୈଠକ ଡକାଇଥିଲେ। ଏହି ବୈଠକରେ କେନ୍ଦ୍ର ଆଇନ୍‌ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ସମେତ ଅନ୍ୟ ବହୁ ବରିଷ୍ଠ କ୍ୟାବିନେଟ୍‌ ମନ୍ତ୍ରୀ ଯୋଗ ଦେଇ ପରିସ୍ଥିତି ସଂପର୍କରେ ବ୍ୟାପକ ବିଚାର ଆଲୋଚନା କରିଥିଲେ। ତେବେ, ଏହି ବିଚାର ଆଲୋଚନା ସଂପର୍କରେ ସବିଶେଷ ତଥ୍ୟ ଜଣାପଡ଼ି ନ ଥିଲେ ସୁଦ୍ଧା ମୋଦି ସରକାର ସମଗ୍ର ଘଟଣା ଓ ଘଟଣାକ୍ରମ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜନୈକ ବରିଷ୍ଠ ଅଧିକାରୀ।

ଅନ୍ୟ ପକ୍ଷରେ ଦେଶର ପୂର୍ବତନ ଆଟର୍ଣ୍ଣି ଜେନେରାଲ ସୋଲି ଜେ. ସରାବ୍‌ଜୀ ସୁପ୍ରିମ୍‌କୋର୍ଟ ବିଚାରପତିମାନଙ୍କ ଏ ପ୍ରକାର ଆଚରଣକୁ ନିନ୍ଦା କରିଛନ୍ତି। ବିଚାରପତିମାନଙ୍କର ଏ ପ୍ରକାରର ଆଚରଣ ନ୍ୟାୟପାଳିକାର ଗରିମାକୁ ସାଧାରଣରେ ନିନ୍ଦିତ କରାଇଛି ବୋଲି ସେ ଏକ ବିବୃତିରେ କହିଛନ୍ତି।

ସମ୍ବନ୍ଧିତ ଖବର