ସହାୟତାର ହାତ ବଢାଇଲା ରାମ ଜନ୍ମଭୂମି ଟ୍ରଷ୍ଟ, ଅଯୋଧ୍ୟାରେ ସ୍ଥାପନ କରିବ ୨ଟି ଅକ୍ସିଜେନ ପ୍ଲାଣ୍ଟ

ଅଯୋଧ୍ୟା : ଦେଶରେ କରୋନା ସଂକ୍ରମଣ ବୃଦ୍ଧି ସହିତ ଅକ୍ସିଜେନ ଅଭାବ ଉତ୍କଟ ରୂପ ଧାରଣ କରିଛି । ପ୍ରାୟତଃ ସବୁ ରାଜ୍ୟରେ ମେଡିକାଲ ଅକ୍ସିଜେନର ଅଭାବ ଦେଖାଦେଇଛି । ଏ ପରିସ୍ଥିତିରେ ସହାୟତା କରିବାକୁ ଆଗେଇ ଆସିଛି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରୁଥିବା ଶ୍ରୀ ରାମଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ । ଟ୍ରଷ୍ଟ ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ଅଯୋଧ୍ୟାସ୍ଥିତ ଦଶରଥ ମେଡିକାଲ କଲେଜଠାରେ ଦୁଇଟି ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ କରାଯିବ । ଏଥିପାଇଁ ଟ୍ରଷ୍ଟ ପକ୍ଷରୁ ନିଜସ୍ବ ପାଣ୍ଠିରୁ ୫୫ ଲକ୍ଷ ଟଙ୍କା ବିନିଯୋଗ କରାଯିବ ।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅକ୍ସିଜେନ ଅଭାବ ପରିସ୍ଥିତି ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି । ଦେଶରେ ଅକ୍ସିଜେନ ଉତ୍ପାଦନ ବୃଦ୍ଧି ଲାଗି ପଦକ୍ଷେପ ନେବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ପ୍ରତି ରାଜ୍ୟକୁ ଅକ୍ସିଜେନ ଯୋଗାଇ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଘରୋଇ କ୍ଷେତ୍ରର ଯୋଗଦାନ ପରେ ଦେଶରେ ଅକ୍ସିଜେନ ଯୋଗାଣ ସ୍ଥିତିରେ ଉନ୍ନତି ଆସୁଛି । ଏବେ ଦେଶର ୨୦ଟି ରାଜ୍ୟରେ ଦିନକୁ ୬୭୮୫ ନିୟୁତ ଟନ ଅକ୍ସିଜେନ ଆବଶ୍ୟକତା ରହିଥିବାବେଳେ ଆଜିଠାରୁ କେନ୍ଦ୍ର ପ୍ରାୟ ୬୮୨୨ ନିୟୁତ ଟନ ଅକ୍ସିଜେନ ଯୋଗାଣ କରାଯାଉଛି ।

ସମ୍ବନ୍ଧିତ ଖବର