ନୂଆଦିଲ୍ଲୀ: ବିହାରର ପୁର୍ଣ୍ଣିଆ ସଦର ଥାନା ଅଞ୍ଚଳରେ ଗତ ସୋମବାର ଏକ ଦୁଃଖଦ ଘଟଣା ଘଟିଥିଲା। ଏକ ଅଟୋ ଉପରେ ଟ୍ରକ ଓଲଟି ପଡ଼ିବାରୁ ଦୁଇଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ଦୁଇ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ‌ରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ଦୁଇ ମୃତକ ହେଲେ ଅନ୍ତସତ୍ତ୍ବା ମା’ ଓ ତାଙ୍କ ୪ବର୍ଷର ଶିଶୁ।

Advertisment

ଏହି ଦୁର୍ଘଟଣାକୁ ନେଇ ଅଟୋରେ ବସିଥିବା ଯାତ୍ରୀ ସଗୁଫ୍ତା କହିଛନ୍ତି, ‘ମୁଁ ମୋର ଅନ୍ତସତ୍ତ୍ବା ବଡ଼ ଭଉଣୀ ଓ ତାଙ୍କର ୨ଜଣ ପିଲାଙ୍କ ସହିତ ଅଟୋରେ ବସି ଯାତ୍ରା କରୁଥିଲି। ‌ଯେମିତି ହିଁ ଅଟୋ ପୂର୍ଣ୍ଣିଆ ଜିରୋମାଇଲରେ ପହଞ୍ଚିଥିଲା ହଠାତ ଏକ ଝୋଟ ଭର୍ତ୍ତି ଟ୍ରକ ଭାରସାମ୍ୟ ହରାଇ ଆମେ ବସିଥିବା ଅଟୋ ଉପରେ ଓଲଟି ପଡ଼ିଥିଲା। ଏ ଦୃଶ୍ୟ ଦେଖି ମୁଁ ଅଟୋ ସାଇଟରେ ବସିଥିବାରୁ ଝିଆରି ଅଲିଶାକୁ ଟାଣି ଆଣି ଅଟୋରୁ ଡେଇଁ ପଡ଼ିଥିଲି। ଫଳରେ ଆମ ଦୁହିଁଙ୍କ ଜୀବନ ବଞ୍ଚି ଯାଇଥିଲା। କିନ୍ତୁ ଏହି ଦୁର୍ଘଟଣାରେ ମୋର ଅନ୍ତସତ୍ତ୍ବା ବଡ଼ ଭଉଣୀ ସାଇସ୍ତା ଓ ତାଙ୍କ ୪ବର୍ଷର ଝିଅ ସାୟରାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା।

ଏହି ଦୁର୍ଘଟଣା ସମ୍ପର୍କ‌ରେ ପୁଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ‌ଲୋକଙ୍କ ସାହାଯ୍ୟରେ ଅନ୍ତସତ୍ତ୍ବା ମା’ ଓ ତାଙ୍କ ଶିଶୁଙ୍କୁ ଅଟୋରୁ ବ‌ାହାର କରି ହସ୍ପିଟାଲ ପଠାଇଥିଲେ। ହେଲେ ଡାକ୍ତର ସେଠାରେ ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ। ଏହି ଦୁର୍ଘଟଣାରେ ଜଣେ ଅନ୍ତସତ୍ତ୍ବାଙ୍କ ସମେତ ତାଙ୍କ ୪ବର୍ଷ ଶିଶୁର ମୃତ୍ୟୁ ଖବର ସ୍ଥାନୀୟ ଅଞ୍ଚଳରେ ଶୋକରଛାୟା  ଖେଳାଇ ଦେଇଛି।