ଆଲାସ୍କା : ଦୁଇଟି ବିମାନ ମଧ୍ୟରେ ମୁହାଁମୁହିଁ ଧକ୍କା, ୭ ମୃତ

ଜୁନେଉ : ଆମେରିକୀୟ ରାଜ୍ୟ ଆଲାସ୍କାର କେନାଇ ଉପଦ୍ୱୀପ ଅନ୍ତର୍ଗତ ସାଲଡୋଟନା ଅଞ୍ଚଳରେ ଶନିବାରଦିନ ଦୁଇଟି ଛୋଟ ବିମାନ ଆକାଶରେ ମୁହାଁମୁହିଁ ଧକ୍କା ହେବାରୁ ୭ ଜଣ ମୃତ୍ୟୁବରଣ କରିଛନ୍ତି । ମୃତକଙ୍କ ମଧ୍ୟରେ ଆଲାସ୍କାର ଜଣେହାଉସ ରିପ୍ରେଜେଣ୍ଟିଭ (ସାଂସଦ ) ଗେରି ନପ୍‌ ଅନ୍ତର୍ଭୁକ୍ତ ଅଛନ୍ତି ।

ଆଲାସ୍କା ଷ୍ଟେଟ ଟ୍ରୁପର୍ସର ସୂଚନା ଅନୁସାରେ ଗୋଟିଏ ବିମାନରେ ଗେରି ଏକୁଟିଆ ଥିବାବେଳେ ଅନ୍ୟ ବିମାନଟିରେ ୪ ଯାତ୍ରୀଙ୍କ ସମେତ ଜଣେ ପାଇଲଟ ଓ ଜଣେ ଗାଇଡ ଥିଲେ । ଯାତ୍ରୀମାନେ ସାଉଥ କାରୋଲିନାରୁ ଯାଉଥିଲେ । ଏହି ଦୁଇଟି ବିମାନ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୬ ଜଣ ପ୍ରାଣ ହରାଇଥିଲେ । ଆଉ ଜଣେ ଆହତଙ୍କୁ ଡାକ୍ତରଖାନା ନେବାବେଳେ ସେ ପ୍ରାଣ ହରାଇଥିଲେ ।

ବିମାନଦୁଇଟି ଆକାଶରେ ଧକ୍କା ହେବା ପରେ ସେଗୁଡ଼ିକର ଧ୍ୱଂସାବଶେଷ ନିକଟସ୍ଥ ଜଙ୍ଗଲ ଓ ରାସ୍ତାରେ ପଡ଼ିଥିଲା । ଏହା ଫଳରେ ରାସ୍ତାରେ ଯାତାୟାତକୁ କିଛିସମୟ ପାଇଁ ବନ୍ଦ କରିବାକୁ ପଡ଼ିଥିଲା । ଆଲାସ୍କାର ଫେଡେରାଲ ଆଭିଏସନ ଆଡମିନିଷ୍ଟ୍ରେସନ (ଏଫଏଏ) ଓ ଜାତୀୟ ପରିବହନ ନିରାପତ୍ତା ବୋର୍ଡ (ଏନଟିଏସବି) ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଆଲାସ୍କା ହାଉସ ରିପ୍ରେଜେଣ୍ଟିଭ ଗେରି ନପଙ୍କ ମୃତ୍ୟୁରେ ଆଲାସ୍କାରେ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି ଓ ଜାତୀୟ ପତାକାକୁ ଅର୍ଦ୍ଧନିମିତ କରାଯାଇଛି । ନପ ରିପବ୍ଲିକାନ ପାର୍ଟିର ସଦସ୍ୟ ଥିଲେ ।

ସମ୍ବନ୍ଧିତ ଖବର