ଟୁଇଟରକୁ ଟ୍ରାକ୍ କରି ଦୁଇଜଣଙ୍କୁ ଆତ୍ମହତ୍ୟା କରିବାରୁ ବଞ୍ଚାଇଲା ପୁଲିସର ସାଇବର ସେଲ୍

ମୁମ୍ବାଇ: ସୋସିଆଲ୍ ମିଡିଆ ବଞ୍ଚାଇଲା ଜୀବନ । ଟୁଇଟରକୁ ଟ୍ରାକ୍ କରି ଦୁଇ ଜଣଙ୍କୁ ଆତ୍ମହତ୍ୟା କରିବାରୁ ବଞ୍ଚାଇଛି ମୁମ୍ବାଇ ପୋଲିସ । ବୁଧବାର ମିଳିଥିବା ଖବର ଅନୁସାରେ, ମୁମ୍ବାଇ ପୁଲିସର ସାଇବର ସେଲ୍ ଦୁଇଜଣ ବ୍ୟକ୍ତିଙ୍କର ଟୁଇଟକୁ ଟ୍ରାକ୍ କରିବା ସହିତ ସେମାନେ ଆତ୍ମହତ୍ୟା କରିବାକୁ ଯାଉଛନ୍ତି ବୋଲି ଜାଣିବାକୁ ପାଇଥିଲା । ଏହାପରେ ସେମାନଙ୍କ ପାଇଁ ଏକ ସ୍ପେଶାଲ୍ ଟିମ୍ ଗଠନ କରି ସେମାନଙ୍କୁ ଆତ୍ମହତ୍ୟା କରିବାରୁ ରୋକାଯାଇ ପାରିଛି ।

ଆତ୍ମହତ୍ୟା କରିବାକୁ ଯାଉଥିବା ଏହି ଦୁଇଜଣଙ୍କ ଭିତରେ ଜଣେ ଦ୍ୱାଦଶ ଶ୍ରେଣୀର ଛାତ୍ର ଥିଲେ । ସେ ଗତ ଫେବ୍ରୁଆରି ୧୪ ତାରିଖରେ ନିଜ ପାଠପଢାକୁ ନେଇ ଚିନ୍ତିତ ଥିବା ସହିତ ଆତ୍ମହତ୍ୟା କରିବାକୁ ଯାଉଛନ୍ତି ବୋଲି ଟୁଇଟ କରିଥିଲେ । ମୁମ୍ବାଇ ପୁଲିସର ସାଇବର ସେଲ୍ ଏହାପରେ ଏହି ଟୁଇଟକୁ ଟ୍ରାକ୍ କରି ସେହି ଛାତ୍ର ଜଣକ ମହାରାଷ୍ଟ୍ରର ଅମରାବତୀ ସହରର ବାସିନ୍ଦା ବୋଲି ଜାଣିବାକୁ ପାଇଥିଲେ । ଏହାପରେ ତା’ ପାଖରେ ପୁଲିସ ପହଞ୍ଚି ତାକୁ ଆତ୍ମହତ୍ୟା କରିବାରୁ ରୋକିଥିଲା ।

ସେହିପରି ଆଉ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିବାକୁ ଯାଉଛନ୍ତି ବୋଲି ମୁମ୍ବାଇ ପୁଲିସ ସୋସିଆଲ୍ ମିଡିଆରୁ ଜାଣିବାକୁ ପାଇଥିଲା । ସେହି ବ୍ୟକ୍ତି ଜଣକ ମୁମ୍ବାଇ ସହରର ବୋରିଭାଲିରେ ରହନ୍ତି ବୋଲି ପୁଲିସ ଜାଣିବାକୁ ପାଇଥିଲା । ଏହାପରେ ପୁଲିସ ତାଙ୍କ ପାଖରେ ପହଞ୍ଚି ତାଙ୍କୁ ବୁଝାଶୁଝା କରିବା ସହିତ ତାଙ୍କୁ ଆତ୍ମହତ୍ୟା କରିବାରୁ ରୋକିପାରିଛି ।

ସମ୍ବନ୍ଧିତ ଖବର