ବାଗ୍ଦାଦ୍: ଆମେରିକାର ଦୂତାବାସ ଥିବା ଇରାକ୍ର ବାଗ୍ଦାଦ୍ ଅନ୍ତର୍ଗତ ସବୁଠୁ ସୁରକ୍ଷିତ ‘ଗ୍ରିନ୍ ଜୋନ୍’ରେ ରବିବାର ପ୍ରତ୍ୟୁଷର ୨ଟି କାତ୍ୟୁଶା ରକେଟ୍ ମାଡ଼ ହୋଇଥିବା କଥା ନିରାପତ୍ତା ବଳଙ୍କ ଠାରୁ ସୂଚନା ପାଇ ଇରାକ୍ର ରାଷ୍ଟ୍ରାୟତ ସମ୍ବାଦ ସରବରାହ ସଂସ୍ଥାନ କହିଛି।
ରିପୋର୍ଟରେ ଉଲ୍ଲେଖ ଅଛି ଯେ, ‘ସି-ଆର୍ଏଏମ୍’ ପ୍ରତିରକ୍ଷା ବ୍ୟବସ୍ଥା ବଳରେ ଗୋଟିଏ ରକେଟ୍କୁ ଶୂନ୍ୟରେ ଧ୍ବଂସ କରି ଦିଆଯାଇଥିବା ବେଳେ ଅନ୍ୟ ରକେଟ୍ଟି ‘ଗ୍ରିନ୍ ଜୋନ୍’ର ଉତ୍ସବାନୁଷ୍ଠାନ ହେଉଥିବା ରଙ୍ଗମଞ୍ଚ ନିକଟରେ ପଡ଼ି ଦୁଇଟି କାର୍ ନଷ୍ଟ କରି ପକାଇଛି। ରକେଟ୍ ମାଡ଼ରେ କେହି ମୃତାହତ ହୋଇଥିବା ଖବର ମିଳିନାହିଁ। କିନ୍ତୁ, ‘ଗ୍ରିନ୍ ଜୋନ୍’ରେ ସାଇରନ୍ ବାଜି ଉଠିଥିଲା। ଏହାଛଡ଼ା, ଏହି ଅକ୍ରମଣ ପାଇଁ କିଏ ଦାୟୀ, ତାହା ମଧ୍ୟ ଏଯାବତ୍ କୌଣସି ସଙ୍ଗଠନ ଦାବି କରି ନାହାନ୍ତି।
ଉଲ୍ଲେଖଯୋଗ୍ୟ, ‘ଗ୍ରିନ୍ ଜୋନ୍’ରେ ଯୁକ୍ତରାଷ୍ଟ୍ର ଆମେରିକାର ଦୂତାବାସ ସମେତ ବହୁ ବିଦେଶୀ ଦୂତାବାସ ଏବଂ ସରକାରୀ କୋଠାବାଡ଼ି ଅବସ୍ଥିତ। ଇରାନ୍ ପୃଷ୍ଠପୋଷକତାରେ ସେ ଅଞ୍ଚଳରେ ନିୟମିତ ରକେଟ୍ ମାଡ଼ ହେଉଥିବା କଥା ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଇରାକୀୟ ସରକାରୀ ଅଧିକାରୀମାନେ କହି ଆସୁଛନ୍ତି।