ଭୁବନେଶ୍ବର: ଓଡ଼ିଶା-ଛତିଶଗଡ଼ ସୀମାର କୁହ୍ଲାଡୀଘାଟି ଜଙ୍ଗଲରେ ସୁରକ୍ଷା ବାହିନୀ ଓ ନକ୍ସଲମାନଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ଆଉ ଜଣେ ଏସଓଜି ଯବାନ ଆହତ ହୋଇଛନ୍ତି। ଆହତ ଏସଓଜି ଯବାନ ହେଲେ ଧର୍ମେନ୍ଦ୍ର ଭୋଇ। ନକ୍ସଲଙ୍କ ସହିତ ଗୁଳିବିନିମୟ ବେଳେ ଗତକାଲି କୋବ୍ରା ଯବାନ ନିରଜ ବର୍ମା ଆହତ ହୋଇଥିଲେ। ଉଭୟଙ୍କୁ ନାରାୟଣପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ସେମାନଙ୍କର ଚିକିତ୍ସା ଜାରି ରହିଛି। ଅନ୍ୟପଟରେ ନକ୍ସଲମାନଙ୍କ ବିରୋଧରେ ସୁରକ୍ଷା ବାହିନୀର ଏନକାଉଣ୍ଟର ଜାରି ରହିଛି। ରାୟପୁର ଆଇଜି ଅମରେଶ ମିଶ୍ରା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। 

Advertisment

ନୂଆପଡ଼ା ନିକଟ ଓଡ଼ିଶା ସୀମାନ୍ତରେ ସୁରକ୍ଷା ବାହିନୀକୁ ବଡ଼ଧରଣର ସଫଳତା ମିଳିଛି। ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାରେ ପୁଲିସ ଓ ନକ୍ସଲମାନଙ୍କ ମଧ୍ୟରେ ହୋଇଥିବା ଏନ୍‌କାଉଣ୍ଟରରେ ୧୯ ଜଣ ମାଓବାଦୀଙ୍କ ମୃତଦେହ ଜବତ ହୋଇଛି। ଏନ୍‌କାଉଣ୍ଟରରେ ଏକ କୋଟି ଟଙ୍କା ପୁରସ୍କାର ଘୋଷିତ ମାଓବାଦୀ ଚଳପତି ଓରଫ ଜୟରାମର ମୃତ୍ୟୁ ହୋଇଛି। ପ୍ରଥମ ଥର ପାଇଁ ସୁରକ୍ଷାବାହିନୀକୁ ଗରିଆବନ୍ଧ ଜଂଗଲରେ ବଡ଼ ସଫଳତା ମିଳିଛି।  

ଗରିଆବନ୍ଧ ଏନ୍କାଉଣ୍ଟରରେ ୧୬ ଜଣ ନକ୍ସଲଙ୍କର ମୃତଦେହ ଜବତ ହୋଇଛି। ଏକେ-୪୭, ଏସ୍ଏଲ୍ଆର, ଇନ୍ସାସ ରାଇଫଲ ସମେତ ଅନ୍ୟ ମାଓସାମଗ୍ରୀ ମଧ୍ୟ ଜବତ ହୋଇଛି। ସର୍ଚ୍ଚ ଅପରେସନ ଜାରି ରହିଛି।

-ଅମରେଶ ମିଶ୍ରା, ଆଇଜି, ରାୟପୁର ଜୋନ୍ 

ଦେଶକୁ ନକ୍ସଲମୁକ୍ତ କରିବା ପାଇଁ ରାଜ୍ୟ ସରକାରଗୁଡ଼ିକର ସହଯୋଗରେ କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନ ଜାରି ରଖିଛନ୍ତି। ଛତିଶଗଡ଼ରେ ଗୋଟିଏ ବର୍ଷ ମଧ୍ୟରେ ୨୬୦ରୁ ଅଧିକ ନକ୍ସଲଙ୍କ ମୃତ୍ୟୁ ହୋଇସାରିଛି। ଏହି ସମୟ ମଧ୍ୟରେ ୮୭୦ରୁ ଅଧିକ ଆତ୍ମସମର୍ପଣ କରିଛନ୍ତି। ସେହିପରି ୧୦୦୦ରୁ ଅଧିକ ମାଓବାଦୀ ଗିରଫ ହୋଇଛନ୍ତି। ଗୃହମନ୍ତ୍ରୀ ଅମିତ ଶାହଙ୍କ ସଂକଳ୍ପ ଓ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାୟଙ୍କ ମାର୍ଗଦର୍ଶନରେ ୨୦୨୬ ପର୍ଯ୍ୟନ୍ତ ସଶସ୍ତ୍ର ନକ୍ସଲବାଦ ଛତିଶଗଡ଼ ସମେତ ପୂରା ଭାରତରେ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।