ଦୁଇ ବରିଷ୍ଠ ଆମେରିକୀୟ ସଚିବଙ୍କ ୟୁକ୍ରେନ୍‌ ଗସ୍ତ: ଅଧିକ ସାମରିକ, ଆର୍ଥିକ ସହାୟତା ଘୋଷଣା

ୟୁକ୍ରେନ୍‌ ପାଇଁ ନୂଆ ରାଷ୍ଟ୍ରଦୂତ ‌ଘୋଷଣା କଲେ ବାଇଡେନ୍‌, ଆମେରିକାକୁ ରୁଷ୍‌ର ‌ଚେତାବନୀ, ୟୁକ୍ରେନ୍‌କୁ ଅଧିକ ଅସ୍ତ୍ର ଦିଅନାହିଁ

କିବ୍‌: ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧକୁ ୨ ମାସ ବିତିଥିବାବେଳେ ପ୍ରଥମ ଥର ପାଇଁ ଆମେରିକାର ୨ ଜଣ ବରିଷ୍ଠ ସଚିବ ଯଥା ଆମେରିକା ବିଦେଶ ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଏବଂ ପ୍ରତିରକ୍ଷା ସଚିବ ଲଏଡ ଅଷ୍ଟିନ୍‌ ଗତକାଲି ୟୁକ୍ରେନ୍‌ ରାଜଧାନୀ କିବ୍‌ ଗସ୍ତ କରିଥିଲେ। ବ୍ଲିଙ୍କେନ୍‌ ଏବଂ ଅଷ୍ଟିନ୍‌ ୟୁକ୍ରେନ୍‌ ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କି ଏବଂ ଅନ୍ୟ ୟୁକ୍ରେନ୍‌ ଅଧିକାରୀ ତଥା ବିଦେଶ ସଚିବ ଡିମିଟ୍ରୋ କୁଲେବା, ପ୍ରତିରକ୍ଷା ମନ୍ତ୍ରୀ ଓଲେକ୍ସି ରେଜ୍‌ନିକମ ଏବଂ ଆଭ୍ୟନ୍ତରୀଣ ମନ୍ତ୍ରୀଙ୍କ ସହ କଥା ହୋଇଥିଲେ। ସେମାନଙ୍କ ମଧ୍ୟରେ ୩ ଘଣ୍ଟାର ଦ୍ବିପାକ୍ଷିକ ବୈଠକ ଚାଲିଥିଲା। ବୈଠକରେ ବ୍ଲିଙ୍କେନ୍‌ ଏବଂ ଅଷ୍ଟିନ୍‌ ୟୁକ୍ରେନ୍‌ ପାଇଁ ଅଧିକ ସାମରିକ ସହାୟତା ଘୋଷଣା କରିଛନ୍ତି। ଆମେରିକା ୟୁକ୍ରେନ୍‌କୁ ୩୦୦ ନିୟୁତ ଅଧିକ ଡଲାର୍‌ର ବିଦେଶୀ ସାମରିକ ସହଯୋଗ ଏବଂ ଗୋଳାବାରୁଦ କିଣିବାପାଇଁ ୧୬୯ ନିୟୁତ ଡଲାର୍ ଦେବ ବୋଲି ବ୍ଲିଙ୍କେନ୍‌ ଏବଂ ଅଷ୍ଟିନ୍‌ ଘୋଷଣା କରିଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ମଧ୍ୟ ବିଦେଶ ସେବା ଅଧିକାରୀ ବ୍ରିଜେଟ ବ୍ରିଙ୍କ୍‌ଙ୍କୁ ୟୁକ୍ରେନ୍‌କୁ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରଦୂତ ମନୋ‌ନୀତ କରିଛନ୍ତି।

ବ୍ରିଙ୍କ୍‌ ଏବେ ସ୍ଲୋଭାକିଆରେ ଆମେରିକାର ରାଷ୍ଟ୍ରଦୂତ ଅଛନ୍ତି। ଯୁଦ୍ଧ ପୂର୍ବରୁ ୟୁକ୍ରେନ୍‌ ଛାଡ଼ିଥିବା ଆମେରିକୀୟ କୂଟନୀତିଜ୍ଞ ଆସନ୍ତା ସପ୍ତାହରେ ପୁଣିଥରେ ୟୁକ୍ରେନ୍‌ ଫେରିବେ ବୋଲି ଉପରୋକ୍ତ ୨ ସଚିବ ‌ଘୋଷଣା କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଶନିବାର ଦିନ ୟୁକ୍ରେନ୍‌ ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କି କହିଥିଲେ ଯେ ସେ ରବିବାର ଦିନ ଆମେରିକା ଅଧିକାରୀମାନଙ୍କୁ ସାକ୍ଷାତ କରିବେ। କିନ୍ତୁ ବାଇଡେନ୍‌ ପ୍ରଶାସନ ଏନେଇ କିଛି ସ୍ପଷ୍ଟ କରିନଥିଲେ। ଅଷ୍ଟିନ୍‌ ଏବଂ ବ୍ଲିଙ୍କେନ୍‌ଙ୍କ ସହ ଯାଇଥିବା ସାମ୍ବାଦିକଙ୍କୁ ମଧ୍ୟ କିବ୍‌ ଯିବାପାଇଁ ଅନୁମତି ମିଳିନଥିଲା। ଗସ୍ତକୁ ସମ୍ପୂର୍ଣ୍ଣ ଗୁପ୍ତ ରଖାଯାଇଥିଲା। ଅଷ୍ଟିନ୍‌ ଏବଂ ବ୍ଲିଙ୍କେନ୍‌ ୟୁକ୍ରେନ୍‌ ଏବଂ ୧୫ ସହଯୋଗୀ ରାଷ୍ଟ୍ର ପାଇଁ ୭୧୩ ନିୟୁତ ଡଲାର୍ ବିଦେଶୀ ସାମରିକ ସହାୟତା ଘୋଷଣା କରିଛନ୍ତି। ଏଥିରୁ କିବ୍‌ ପାଇଁ କେବଳ ୩୨୨ ନିୟୁତ ଡଲାର୍‌ ଘୋଷଣା ହୋଇଛି।

ତେବେ ଆମେରିକା ୟୁକ୍ରେନ୍‌କୁ ଅଧିକ ଅସ୍ତ୍ର ପଠାଉଥିବାରୁ ରୁଷ୍‌ ଏଥିପାଇଁ ଆମେରିକାକୁ କଡ଼ା ଚେତାବନୀ ଦେଇଛି। ରୁଷ୍‌ କହିଛି ଆମେରିକା ୟୁକ୍ରେନ୍‌କୁ ଅଧିକ ଅସ୍ତ୍ର ନପଠାଇବା ଉଚିତ୍‌। ୱାସିଂଟନ୍‌ରେ ଅବସ୍ଥାପିତ ରୁଷ୍‌ ରାଷ୍ଟ୍ରଦୂତ ଆନାଟୋଲି ଆଣ୍ଟନଭ କହିଛନ୍ତି, ଆମେରିକା ୟୁକ୍ରେନ୍‌କୁ ଅଧିକରୁ ଅଧିକ ଅସ୍ତ୍ର ପଠାଇବା ଅଗ୍ରହଣୀୟ ଏବଂ ଆମେରିକା ଏଭଳି ଅଭ୍ୟାସ ବନ୍ଦ କରିବା ଉଚିତ୍‌। ଉଲ୍ଲେଖଯୋଗ୍ୟ ଯେ ଚଳିତ ମାସ‌ରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ମଧ୍ୟ ପୂର୍ବ ୟୁରୋପୀୟ ରାଷ୍ଟ୍ର ପାଇଁ ୨ଟି ସାମରିକ ସହାୟତା ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର