ଜୟପୁର: ଗତ ଡିସେମ୍ବର ୫ ତାରିଖରେ ଜୟପୁରରେ ଶ୍ରୀ ରାଷ୍ଟ୍ରୀୟ ରାଜପୁତ କରନି ସେନାର ସଭାପତି ସୁଖଦେବ ସିଂ ଗୋଗାମେଡ଼ିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହାକୁ ନେଇ ରାଜସ୍ଥାନର ଜୟପୁର ଓ ଅନ୍ୟସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି ।
ସେପଟେ ପୁଲିସ ଉଭୟ ସୁଟରଙ୍କୁ ଚିହ୍ନଟ କରିଛି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମକ୍ରାନାର ରୋହିତ ରାଠୋର ଏବଂ ଅନ୍ୟଜଣେ ହରିୟାଣାର ମହେନ୍ଦ୍ରଗଡ଼ର ବାସିନ୍ଦା ନୀତିନ ଫୌଜି। ନିତିନ ଫୌଜି ଗୋଗାମେଡ଼ିଙ୍କ ମୁଣ୍ଡରେ ଗୁଳି ମାରିଥିଲା। ସୁଖଦେବ ସିଂ ଗୋଗାମେଡ଼ି ହତ୍ୟା କାଣ୍ଡର ତଦନ୍ତ ପାଇଁ ରାଜସ୍ଥାନ ପୋଲିସ ଏକ ଏସଆଇଟି ଗଠନ କରିଛି ।
ପ୍ରଥମ ପ୍ରାଥମିକତା ହେଉଛି ଏହି ସୁଟରମାନଙ୍କୁ ଗିରଫ କରିବା ବୋଲି ପୁଲିସ କହିଛି । ରୋହିତ ରାଠୋର ଓ ନୀତିନ ଫୌଜି ଉଭୟଙ୍କର ଅପରାଧିକ ରେକର୍ଡ ରହିଛି। ସୁଖଦେବ ସିଂ ଗୋଗାମେଡିଙ୍କ ନାଁରେ ମଧ୍ୟ ଜବରଦଖଲ ମାମଲା ରହିଛି। ଏଭଳି ସ୍ଥିତିରେ ପୁଲିସ 'ଇଣ୍ଟର ଗ୍ୟାଙ୍ଗ ଶତ୍ରୁତା' ଦୃଷ୍ଟିକୋଣରୁ ମାମଲାର ତଦନ୍ତ କରୁଛି। ସୂଚନାଯୋଗ୍ୟ ଯେ, ଗତ କାଲି ଏହି ହତ୍ୟାପାଇଁ ନିଜକୁ ଦାୟୀ କରିଥିଲା ଗ୍ୟାଙ୍ଗଷ୍ଟର ରୋହିତ ଗୋଦାରା ।
ଅଭିଯୁକ୍ତଙ୍କ ନାମରେ ପୁରସ୍କାର ଘୋଷଣା
ଡିଜିପି ଉମେଶ ମିଶ୍ର କହିଛନ୍ତି ଯେ ସୁଖଦେବ ସିଂ ଗୋଗାମେଡ଼ିଙ୍କ ହତ୍ୟାଘଟଣାର ତଦନ୍ତ ପାଇଁ ଏଡିଜି କ୍ରାଇମ ଦିନେଶ ଏମଏନଙ୍କ ତତ୍ତ୍ୱାବଧାନରେ ଏକ ଏସଆଇଟି ଗଠନ କରାଯାଇଛି। ଉଭୟ ଅଭିଯୁକ୍ତଙ୍କ ନାମରେ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରାଯାଇଛି।