ଦୁଇ ରାଜ୍ୟରେ ଦୁଷ୍କର୍ମ ପ୍ରସଙ୍ଗ:ବିଜେପି- କଂଗ୍ରେସ ମୁହାଁମୁହିଁ

ନୂଆଦିଲ୍ଲୀ: ଦୁଇଟି ଗଣଦୁଷ୍କର୍ମ ମାମଲା ଏବେ ଜାତୀୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି। ରାଜସ୍ଥାନର ଅଲୱର ଗଣଦୁଷ୍କର୍ମ ଘଟଣା ଏବଂ ଉତ୍ତରପ୍ରଦେଶର ହାପୁର ଗଣଦୁଷ୍କର୍ମ ଘଟଣାକୁ ନେଇ ଏବେ ରାଜନୀତି ଜୋର ଧରିଛି। ଦୁଇ ପ୍ରମୁଖ ଜାତୀୟ ରାଜନୈତିକ ଦଳ ବିଜେପି ଏବଂ କଂଗ୍ରେସ ପରସ୍ପରକୁ ଦୋଷ ଦେବା ଆରମ୍ଭ କରିଦେଇଛନ୍ତି। ରାଜସ୍ଥାନର ଅଲୱର ଗଣଦୁଷ୍କର୍ମ ଘଟଣାକୁ ନେଇ ମୋଦୀ ଏବଂ ମାୟାବତୀଙ୍କ ମଧ୍ୟରେ ଗତ ଦୁଇଦିନ ଧରି କାଦୁଅଫିଙ୍ଗା ଚାଲିଥିବାବେଳେ ଏବେ ପୁଣି ଉତ୍ତରପ୍ରଦେଶର ହାପୁରରେ ହୋଇଥିବା‌ ଗଣଦୁଷ୍କର୍ମ ଘଟଣାକୁ ନେଇ କଂଗ୍ରେସ ବିଜେପିକୁ ଘେରିଛି। ବିଜେପି ଶାସିତ ରାଜ୍ୟ ଉତ୍ତରପ୍ରଦେଶର ହାପୁରରେ ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣେ ମହିଳା ଉତ୍ତରପ୍ରଦେଶ ପୁଲିସଠାରୁ ନ୍ୟାୟ ନପାଇବା ଫଳରେ ନିଜ ଶରୀର‌ରେ ନିଆଁ ଲଗାଇ ଦେଲେ। ଏହାକୁ ବିରୋଧ କରି କଂଗ୍ରେସ ଏବେ ଯୋଗୀ ସରକାରଙ୍କୁ ଟାର୍ଗେଟ୍‌ କରିଛି। ମୋଦୀଙ୍କୁ ସମାଲୋଚନା କରି କଂଗ୍ରେସ ପକ୍ଷରୁ କୁହାଯାଇଛି ‌ଯେ, ମୋଦୀ ଯେଉଁଠି ଥିବେ ସେଠି ସବୁକିଛି ସମ୍ଭବ। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଆଶୋକ ଗେହଲଟ ଆଜି ଦାବି କରିଛନ୍ତି ଯେ ଅଲୱର ଗଣଦୁଷ୍କର୍ମ ପୀଡ଼ିତାଙ୍କ ପରିବାର ସହ ଜଣେ ପୂର୍ବତନ ବିଜେପି ବିଧାୟକ ବୁଝାମଣା କରିବାକୁ ଚେଷ୍ଟା କରୁଛନ୍ତି। ‌ତେବେ ଅଲୱର ଗଣଦୁଷ୍କର୍ମ ଘଟଣାରେ ରାଜସ୍ଥାନ ସରକାର କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସେ ବିଷୟରେ କିଛି ନଜାଣି ମୋଦୀ ରାଜସ୍ଥାନ ସରକାରଙ୍କ ଉପରେ ଆକ୍ରମଣ କରିବା ଅନୁଚିତ୍‌ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର