ଅନ୍‌ଲାଇନ୍‌ କ୍ଲାସ୍‌ ପାଇଁ ବଢ଼ିଲା ଆତ୍ମହତ୍ୟା : ସ୍ମାର୍ଟଫୋନ୍‌ ନଥିବାରୁ ଗୁଜରାଟ, ଆସାମରେ ୨ ଛାତ୍ରଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ : କ‌ରୋନା ମହାମାରୀ ପାଇଁ ଦେଶବ୍ୟାପୀ ବିଭିନ୍ନ ରାଜ୍ୟରେ ସ୍କୁଲ୍‌, କଲେଜ୍‌ ବନ୍ଦ ରହିଛି। ଅନଲାଇନ୍‌ ପଠାପଢ଼ା ଆରମ୍ଭ ହୋଇଛି। ଏପରିକି କିଛି ରାଜ୍ୟରେ ଅନ୍‌ଲାଇନ୍‌ ପରୀକ୍ଷା ମଧ୍ୟ ଆରମ୍ଭ ହୋଇଛି। ଏଭଳି ଏକ ସ୍ଥିତିରେ ପୁଣି ଏକ ଦୁଃଖଦାୟକ ଖବର ଆସିଛି। ଗୁଜରାଟ ଏବଂ ଆସାମରେ ୨ ଜଣ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ କ୍ଲାସ୍‌ରୁ ବଞ୍ଚିତ ହେବାରୁ ଆତ୍ମହତ୍ୟା କରିଦେଇଛନ୍ତି। ମିଳିଥିବା ସୂଚନାନୁଯାୟୀ ଗୁଜରାଟର ରାଜକୋଟ୍‌ରେ ଜଣେ ୧୨ ବର୍ଷୀୟା ସ୍କୁଲ୍‌ଛାତ୍ରୀ ଅନ୍‌ଲାଇନ୍‌ କ୍ଲାସ୍‌ ଏବଂ ‌ହୋମ୍‌ୱର୍କ‌୍‌କୁ ନେଇ ସମ୍ପୂର୍ଣ୍ଣ ବିଷାଦଗ୍ରସ୍ତ ହୋଇଯାଇଥିଲେ। ୧୨ ବର୍ଷୀୟା ଖୁସି ଅଷ୍ଟମ ଶ୍ରେଣୀରେ ପଢ଼ନ୍ତି। ତାଙ୍କ ପାଖରେ ସ୍ମାର୍ଟଫୋନ୍‌ ନଥିବାରୁ ସେ ଅନ୍‌ଲାଇନ୍‌ କ୍ଲାସ୍‌ କରିପାରୁ ନଥିଲେ। କିନ୍ତୁ ଅଟୋ ଗ୍ୟାରେଜ୍‌ ଚଳାଉଥିବା ତାଙ୍କ ବାପା ନିକଟରେ ତାଙ୍କ ପଢ଼ାପାଇଁ ବହୁତ କଷ୍ଟରେ ଏକ ସ୍ମାର୍ଟଫୋନ୍‌ ଆଣିଦେଇଥିଲେ। ସ୍ମାର୍ଟଫୋନ୍‌ ଆସିବାପରେ ଖୁସି ଅନ୍‌ଲାଇନ୍‌ କ୍ଲାସ୍‌ କରିଥିଲେ। କିନ୍ତୁ ବିଳମ୍ବରେ କ୍ଲାସ୍‌ କରିଥିବାରୁ ତାଙ୍କ ଉପରେ ହୋମ୍‌ ୱାର୍କ‌୍ ଭାରି ପଡ଼ିଯାଇଥିଲା। କୁହାଯାଉଛି ଯେ, ହୋମ୍‌ୱାର୍କ‌୍ ଚାପରେ ଖୁସି ଆତ୍ମହତ୍ୟା କରିଦେଇଛନ୍ତି।

ଅନ୍ୟପକ୍ଷେ ଆସାମର ଚିରାଙ୍ଗ୍‌ ଜିଲ୍ଲାରେ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବ‌ା ଜଣେ ଛାତ୍ର ଅନଲାଇନ୍‌ କ୍ଲାସ୍‌ କରିନପାରିବାରୁ ଆତ୍ମହତ୍ୟା କରିଦେଇଛନ୍ତି। ୧୫ ବର୍ଷୀୟ ନାବାଳଜ ଜଣଙ୍କ ତାଙ୍କ ଘର ନିକଟରେ ଥିବା ଏକ ଗଛରେ ଫାଶି ଲଗାଇ ଦେଇଛନ୍ତି। ପୁଲିସ ସୂଚନାନୁଯାୟୀ ଉକ୍ତ ଛାତ୍ର ଜଣଙ୍କ ଆର୍ଥିକ ଭାବେ ଦୁର୍ବଳ । ତାଙ୍କ ନିକଟରୁ ଏକ ସୁଇସାଇଡ୍‌ ନୋଟ୍‌ ମଧ୍ୟ ମିଳିଛି। ଅନ୍‌ଲାଇନ୍‌ କ୍ଲାସ୍‌ କରିବା‌ରେ ବିଫଳ ହୋଇଥିବାରୁ ସେ ଖୁବ୍‌ ବିଷାଦଗ୍ରସ୍ତ ଥିଲେ। ଛାତ୍ର ଜଣଙ୍କ ଦର୍ଶାଇଥିଲେ ଯେ ତାଙ୍କ ପାଖରେ ସ୍ମାର୍ଟଫୋନ୍‌ ନଥିବାରୁ ସେ ଅନଲାଇନ୍‌ ପରୀକ୍ଷା ଦେଇପାରିନଥିଲେ ଏବଂ ଏହା ତାଙ୍କ ଭବିଷ୍ୟତକୁ ଅନ୍ଧାକାର କରିଦେଇଛି।

ସମ୍ବନ୍ଧିତ ଖବର