ଜମ୍ମୁ ଓ କଶ୍ମୀରରେ ୨ଟି ଆତଙ୍କବାଦୀ ସଙ୍ଗଠନ ଠାବ; ୩ଜଣ ଆତଙ୍କବାଦୀଙ୍କ ସମେତ ୧୧ ଗିରଫ

ଶ୍ରୀନଗର: ଅନନ୍ତନାଗ ଜିଲ୍ଲାରେ ମଙ୍ଗଳବାର ଦିନ ଜମ୍ମୁ ଓ କଶ୍ମୀର ପୁଲିସ ନିଷିଦ୍ଧ ଘୋଷିତ ଆତଙ୍କବାଦୀ ସଙ୍ଗଠନ ‘ଜୈଶ୍‌-ଏ-ମହମ୍ମଦ୍‌’ର (ଜେଇଏମ୍) ୨ଟି ଆତଙ୍କବାଦୀ ସହଯୋଗୀ ସଙ୍ଗଠନ ଠାବ କରିବା ସହ ୩ଜଣ ଠିକା ଆତଙ୍କବାଦୀଙ୍କ ସମେତ ୧୧ଜଣଙ୍କୁ ଗିରଫ କରିଛି।

ସେମାନଙ୍କ ନିକଟରୁ ମାରଣାସ୍ତ୍ର ଏବଂ ଆଗ୍ନେୟାସ୍ତ୍ର ସମେତ ଅନେକ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଉଦ୍ଧାର କରାଯାଇଛି।

ଜଣେ ପୁଲିସ ଅଧିକାରୀ କହିଛନ୍ତି, ଅନନ୍ତନାଗର ଶ୍ରୀଗୁଫ୍‌ୱାରା ଏବଂ ବିଜବିହାରା ଅଞ୍ଚଳରେ ପୁଲିସ ଓ ନିରାପତ୍ତା ବଳଙ୍କ ଉପରେ ନିଷିଦ୍ଧ ଆତଙ୍କବାଦୀ ସଙ୍ଗଠନ ‘ଜୈଶ୍‌-ଏ-ମହମ୍ମଦ୍‌’ ଆକ୍ରମଣ କରିବା ଲାଗି ଯୋଜନା କରୁଥିବା କଥା ବିଶ୍ବସ୍ତସୂତ୍ରରୁ ସୂଚନା ପାଇ କେତେକ ସ୍ଥାନରେ ଏକାଧିକ ଚେକ୍‌ପଏଣ୍ଟ୍‌ ସ୍ଥାପନ କରାଯାଇଥିଲା।

ଶ୍ରୀଗୁଫ୍‌ୱାରା ଗାଁର ସଖ୍ରାସ୍‌ ଛକସ୍ଥିତ ଚେକ୍‌ପଏଣ୍ଟ୍‌ରେ ଯାଞ୍ଚ ସମୟରେ ବାଇକ୍‌ରେ ଯାଉଥିବା ୩ଜଣ ବ୍ୟକ୍ତିଙ୍କୁ ଅଟକା ଯିବାବେଳେ ଖସି ପଳାଇଯିବାକୁ ଉଦ୍ୟମ କରିବାରୁ ସେମାନଙ୍କୁ ଗିରଫ କରାଯାଇଥିଲା।

ତଲାସ କରିବାରୁ ସେମାନଙ୍କ ପାଖରୁ ଦୁଇଟି ଚୀନା ନିର୍ମିତ ପିସ୍ତଲ, ମାଗାଜିନ୍ ଏବଂ ଆଗ୍ନେୟାସ୍ତ୍ର ମିଳିଥିଲା ବୋଲି ପୁଲିସ ସୂଚନା ଦେଇଛି।

Image Courtesy of DNA India

ପ୍ରାରମ୍ଭିକ ଜେରା ସମୟରେ ସେମାନେ ନିଜର ପରିଚୟ ପ୍ରଦାନ କରିଥିଲେ। ସେମାନେ ହେଉଛନ୍ତି, ଲିଭର୍‌ ବାସିନ୍ଦା ଆବ୍ବାସ୍‌ ଆହ୍‌ ଖାଁ, ବିଦ୍ଦେ ବାସିନ୍ଦା ଜହୂର ଗୌଗୁଜ୍‌ରି ଏବଂ ଲିଭର୍‌ ପାହଲଗାମ୍‌ ବାସିନ୍ଦା ହିଦାୟତୁଲ୍ଲା କୁଟେ।

ସେମାନେ କହିଛନ୍ତି ଯେ, ସେମାନେ ‘ଜୈଶ୍‌-ଏ-ମହମ୍ମଦ୍‌’ର ସହଯୋଗୀ ଏବଂ ପାକିସ୍ତାନରେ ଥିବା ହ୍ୟାଣ୍ଡ୍‌ଲର୍‌ଙ୍କ ସହ ସେମାନଙ୍କର ସିଧାସଳଖ ଯୋଗସୂତ୍ର ରହିଛି। ପାକିସ୍ତାନୀ ହ୍ୟାଣ୍ଡ୍‌ଲର୍‌ଙ୍କ ତରଫରୁ ସେମାନେ ଶ୍ରୀଗୁଫ୍‌ୱାରାରେ ଥିବା ପୁଲିସ ଓ ନିରାପତ୍ତା ବଳଙ୍କ ଉପରେ ଆକ୍ରମଣ କରିବାକୁ ଯାଉଥିଲେ। ତା’ପରେ ସେମାନେ ‘ଜେଇଏମ୍‌’ର ସହଯୋଗୀ ଆତଙ୍କବାଦୀ ସଙ୍ଗଠନ ‘କେଏଫ୍‌ଏଫ୍‌’ରେ ଔପଚରିକ ଭାବେ ଯୋଗ ଦେଇଥାଆନ୍ତେ।

ସେମାନଙ୍କ ଠାରୁ ସୂଚନା ପାଇବା ପରେ ବିଦେ ଶ୍ରୀଗୁଫ୍‌ୱାରା ବାସିନ୍ଦା ଶାକିର୍‌ ଅହମଦ୍‌ ଗୌଗୋରି ଏବଂ କାଟସୂ ଶ୍ରୀଗୁଫ୍‌ୱାରା ବାସିନ୍ଦା ଅମିନ ଶାହଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ପାଖରୁ ମଧ୍ୟ ମାରଣାସ୍ତ୍ର ଏବଂ ଆଗ୍ନେୟାସ୍ତ୍ର ସମେତ ବହୁ ଆପତ୍ତିଜନକ ସାମଗ୍ରୀ ଉଦ୍ଧାର କରାଯାଇଛି।

ସେହିପରି, ବିଜବିହାରା ଅଞ୍ଚଳରେ ‘କେଏଫ୍‌ଏଫ୍‌’ର ୬ଜଣ ଆତଙ୍କବାଦୀ ସହଯୋଗୀଙ୍କୁ ଗିରଫ କରି ଆଉ ଏକ ସହଯୋଗୀ ଆତଙ୍କବାଦୀ ସଙ୍ଗଠନ ଠାବ କରିଛି। ସେଠାରୁ ମଧ୍ୟ ଆଗ୍ନେୟାସ୍ତ୍ର ସମେତ ଆପତ୍ତିଜନକ ସାମଗ୍ରୀ ଉଦ୍ଧାର କରାଯାଇଛି। ଗିରଫ ବ୍ୟକ୍ତିମାନେ ହେଲେ ଫୟାଜ୍‌ ଆହ୍‌ ଖାଁ, ମୁନ୍ତାଜିର୍‌ ରଶିଦ୍ ମିର୍, ମହମ୍ମଦ୍‌ ଆରିଫ୍‌ ଖାଁ, ଆଦିଲ୍‌ ଆହ ତାରେ, ଜାହିଦ୍‌ ଅହମଦ୍‌ ନାଜର ଏବଂ ୬ଷ୍ଠଜଣକ କିଶୋର ହୋଇଥିବାରୁ ତାଙ୍କ ପରିଚୟ ଗୁପ୍ତ ରଖାଯାଇଛି।

ମାମଲା ରୁଜୁ କରି ପୁଲିସ ଅଧିକ ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର