ଜମ୍ମୁ କାଶ୍ମୀରର ସୋପିଆଁରେ ଏନକାଉଣ୍ଟର; ୨ ଲସ୍କର ଆତଙ୍କବାଦୀ ନିହତ
ଶ୍ରୀନଗର : ଜମ୍ମୁ କାଶ୍ମୀରର ସୋପିଆଁ ଜିଲ୍ଲାରେ ଭାରତୀୟ ସୁରକ୍ଷାବାହିନୀର ଯବାନମାନେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଲସ୍କର ସହିତ ସମ୍ପୃକ୍ତ ୨ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି । କିଲବଲ ଅଞ୍ଚଳରେ ହୋଇଥିବା ଗୁଳି ବିନିମୟରେ ୨ ଆତଙ୍କବାଦୀ ପ୍ରାଣହରାଇଛନ୍ତି । ଜମ୍ମୁ-କାଶ୍ମୀର ପୁଲିସ ପକ୍ଷରୁ ସେଠାରେ ତଲାସୀ ଅଭିଯାନ ଚାଲୁ ରହିଛି । ମୃତ୍ୟୁବରଣ କରିଥିବା ଆତଙ୍କବାଦୀମାନେ ସେହି ଅଞ୍ଚଳର ଅଧିବାସୀ ବୋଲି କୁହାଯାଉଛି । କିନ୍ତୁ ସେମାନଙ୍କର ଚିହ୍ନଟ କରାଯାଇ ପାରିନାହିଁ ।
ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ଦକ୍ଷିଣ କାଶ୍ମୀରର କିଲବଲରେ ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ସୂଚନା ମିଳିଥିଲା । ଏହାପରେ ସୁରକ୍ଷାବଳର କର୍ମୀ ସେହି ଅଞ୍ଚଳକୁ ଘେରାଉ କରି ତଲାସୀ ଅଭିଯାନ ଆରମ୍ଭ କରିଥିଲା । ତଲାସୀ ଚାଲିଥିବା ସମୟରେ ଆତଙ୍କବାଦୀମାନେ ସୁରକ୍ଷାବଳ ଉପରେ ଗୁଳି ଚଳାଇଥିଲେ । ଏହାର ଉତ୍ତରରେ ସୁରକ୍ଷାବଳ ଗୁଳି କରିବାରୁ ୨ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ଦୁଇ ଜଣ ଯାକ ଲସ୍କର-ଇ-ତୋଇବାର ଛାୟା ସଂଗଠନ ‘ଦ ରେଜିଷ୍ଟେନ୍ସ ଫ୍ରଣ୍ଟ’ର ସଦସ୍ୟ ଥିଲେ । ଏନକାଉଣ୍ଟର ହୋଇଥିବା ସ୍ଥାନରୁ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।