ନୂଆଦିଲ୍ଲୀ: ଆଜି ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ଅନନ୍ତନାଗ ଜିଲ୍ଲାର ବିଜବେହରା ଅଞ୍ଚଳରେ ନିରାପତ୍ତା ବଳଙ୍କ ସହ ଗୁଳି ବିନିମୟ କରି ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏପ୍ରିଲ୍‌ ୧୦ ତାରିଖ ବିଳମ୍ବିତ ରାତ୍ରୀରେ ଅନନ୍ତନାଗରେ ଆତଙ୍କବାଦୀ ଓ ନିରାପତ୍ତା ବଳଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।

Advertisment

ସମ୍ପୃକ୍ତ ଅଞ୍ଚଳରେ ଏବେ ମଧ୍ୟ ତଲାସ ଅଭିଯାନ ଚାଲିଛି।

ଟୁଇଟ୍‌ କରି କଶ୍ମୀର ଜୋନ୍‌ ପୁଲିସ ଲେଖିଛି, ବିଜବେହରା ଏନ୍‌କାଉଣ୍ଟର୍‌ରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ତଲାସ ଚାଲିଛି। ପରେ ପରେ ସବିଶେଷ ବିବରଣୀ ଦିଆଯିବ। କଶ୍ମୀର ଆଇଜିପି ବିଜୟ କୁମାରଙ୍କ କହିବା ଅନୁସାରେ, ଶନିବାର ଦିନ ସେନାର ଜଣେ ଯବାନଙ୍କ ସହିଦ ହେବା ଘଟଣା ପାଇଁ ଦାୟୀ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି।

publive-image Image Courtesy of The Statesman

ଏକ ବିବୃତିରେ, ଜମ୍ମୁ ଓ କଶ୍ମୀର ପୁଲିସ ମହାନିର୍ଦେଶକ ଦିଲବାଗ ସିଂହ କହିଛନ୍ତି, ଦୀର୍ଘ କାଳ ଧରି ସକ୍ରିୟ ଥିବା ଦୁଇ ଆତଙ୍କବାଦୀଙ୍କୁ ଆତଙ୍କ ଅପରାଧଜନିତ ବହୁ ଘଟଣା ପାଇଁ ଖୋଜା ଯାଉଥିଲା।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ୭୨ଘଣ୍ଟା ମଧ୍ୟରେ ୪ଟି ପୃଥକ୍‌ ଘଟଣାରେ ଉପତ୍ୟକାରେ ୧୨ଜଣ ଆତଙ୍କବାଦୀ ନିପାତ ହେଲେଣି।
ସ୍ମରଣଯୋଗ୍ୟ, ଗତକାଲି ଶୋପିଆଁର ହାଦିପୋରା ଅଞ୍ଚଳରେ ଆରମ୍ଭ ଅନ୍ୟ ଏକ ଏନ୍‌କାଉଣ୍ଟର୍‌ ଘଟଣାରେ ୩ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଘଟଣାସ୍ଥଳରୁ ଗୋଟିଏ ଏକେ-୪୭ ଓ ଗୋଟିଏ ପିସ୍ତଲ ଉଦ୍ଧାର କରାଯାଇଥିଲା।