ଅନନ୍ତନାଗ: କଶ୍ମୀରର କୁଲଗାମ ଜିଲ୍ଲାରେ ଜମ୍ମୁ ଓ କଶ୍ମୀର ପୁଲିସ ଶନିବାର ଅପରାହ୍ଣରେ ଜଣେ ପୁଲିସ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ୍ଙ୍କ (ଡିଏସ୍ପି) ସମେତ ଦୁଇଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି।
ଡିଏସ୍ପି ସହ ତାଙ୍କ ମାରୁତି କାର୍ରେ ଦୁଇ ଆତଙ୍କବାଦୀ ବସି ଯାଉଥିବା ବେଳେ ଜାତୀୟ ରାଜପଥର ମିର୍ବଜାର ନିକଟରେ ପୁଲିସ ଓ ସେନାର ମିଳିତ ଅଭିଯାନରେ ଗିରଫ ହୋଇଛନ୍ତି। ପୁଲିସ ସେ ଗାଡ଼ିକୁ ଅଟକାଇ ଦୁଇ ଆତଙ୍କବାଦୀଙ୍କୁ ଗିରଫ କରିବା ସହ ଗାଡ଼ିରୁ ୫ଟି ଗ୍ରେନେଡ୍ ଉଦ୍ଧାର କରିଛି। ଏହାଛଡ଼ା ଡିଏସ୍ପିଙ୍କ ଶ୍ରୀନଗରସ୍ଥିତ ବାସଭବନରେ ଚଢ଼ାଉ କରାଯାଇ ଦୁଇଟି ଏକେ-୪୭ ରାଇଫଲ୍ ଉଦ୍ଧାର କରାଯାଇଛି। ଆତଙ୍କବାଦୀମାନଙ୍କ ସହ ଜଣେ ପୁଲିସ ଅଧିକାରୀ ଗିରଫ ହେବାରେ ଏହା ହେଉଛି ପ୍ରଥମ ଘଟଣା। ଗିରଫ ଡିଏସ୍ପିଙ୍କ ନାମ ଦବିନ୍ଦର ସିଂହ। ଗତବର୍ଷ ଅଗଷ୍ଟ ୧୫ରେ ତାଙ୍କୁ ରାଷ୍ଟ୍ରପତି ପଦକ ମିଳିଥିଲା।
/sambad/media/post_attachments/wp-content/uploads/2020/01/jk1-1-300x178.jpg)
ଗିରଫ ହୋଇଥିବା ଦୁଇ ହିଜ୍ବୁଲ୍ ମୁଜାହିଦୀନ୍ ଆତଙ୍କବାଦୀଙ୍କ ମଧ୍ୟରୁ ମୋଷ୍ଟ୍ ଓ୍ଵାଣ୍ଟେଡ୍ଜଣକ ହେଉଛି ସୟେଦ୍ ନଓ୍ଵୀଦ ବାବା। ୨୦୧୭ରେ ଉଗ୍ରବାଦୀ ସଂଗଠନରେ ଯୋଗ ଦେଇଥିବା ବାବା ଟ୍ରକ୍ ଚାଳକ ଓ ସ୍ଥାନୀୟ ଲୋକମାନଙ୍କୁ ଆକ୍ରମଣ କରୁଥିଲା। ସେ ଶୋପିଆନ୍ର ନାଜ୍ନୀନ୍ପୋରା ବାସିନ୍ଦା ଏବଂ ‘ଆଇଇଡି’ ବିଶେଷଜ୍ଞ। ଗିରଫ ହୋଇଥିବା ଅନ୍ୟ ଜଣେ ଆତଙ୍କବାଦୀ ହେଉଛି ଅସିଫ୍ ରାଠର।