ଭୋପାଳ: ଲୋକମାନଙ୍କୁ ହେଲମେଟ୍ ନ ପିନ୍ଧିଥିବାର ଦେଖି ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଟ୍ରାଫିକ୍ ପୁଲିସ ଭିନ୍ନ ଉପାୟରେ ଦଣ୍ଡ ଦେବା ଆରମ୍ଭ କରିଛନ୍ତି। ଯେଉଁ ଲୋକ ହେଲମେଟ୍ ନ ପିନ୍ଧି ଗାଡ଼ି ଚଳାଉଥିବା ବେଳେ ଧରା ପଡ଼ୁଛନ୍ତି, ତାଙ୍କୁ ୧୦୦ଶବ୍ଦ ମଧ୍ୟରେ ଏକ ଛୋଟ ରଚନା ଲେଖିବାକୁ କହୁଛନ୍ତି ଟ୍ରାଫିକ ପୁଲିସକର୍ମୀ। ରଚନାରେ ଲୋକଙ୍କୁ ହେଲମେଟ୍ ନ ପିନ୍ଧିବାର କାରଣ ଲେଖିବାକୁ କୁହାଯାଉଛି। ଗତ ୬ଦିନ ମଧ୍ୟରେ ୧୫୦ଜଣ ଲୋକ ହେଲମେଟ୍ ନ ପିନ୍ଧି ଧରା ପଡ଼ିବା ସହ ୧୦୦ଶବ୍ଦ ମଧ୍ୟରେ କାରଣ ଲେଖି ଜଣାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଯୋଜନା ସଡ଼କ ସୁରକ୍ଷା ସପ୍ତାହରେ ଆରମ୍ଭ କରାଯାଇଥିଲା। ଏହା ଶୁକ୍ରବାର ଶେଷ ହୋଇଛି। ଦୁଇ ଚକିଆ ଯାନ ପାଇଁ ହେଲମେଟର ଗୁରୁତ୍ବ କେତେ ସେ ନେଇ ଲୋକଙ୍କୁ ସଚେତନ କରାଯିବା ସହ ଏଭଳି ରଚନା ଲେଖିବା ପାଇଁ କୁହାଯାଇଥିଲା। ଅତିରିକ୍ତ ପୁଲିସ ଅଧୀକ୍ଷକ ପ୍ରଦୀପ ଚୌହାନଙ୍କ କହିବା ମୁତାବକ, ଜାନୁଆରି ୧୧-୧୭ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଇଥିଲା। ଏ ମଧ୍ୟରେ ଯେଉଁମାନଙ୍କୁ ବିନା ହେଲମେଟରେ ଆମେ ଦେଖିଥିଲୁ, ସେମାନଙ୍କୁ ଅଟକାଇ ନ ପିନ୍ଧିବାର କାରଣ ଏକ ସାଧା କାଗଜରେ ଲେଖିବାକୁୁ କହିଥିଲୁ। ୬ଦିନ ମଧ୍ୟରେ ୧୫୦ଜଣ ବିନା ହେଲମେଟରେ ଧରା ପଡ଼ିବା ସହ ଆମକୁ କାରଣ ଲେଖି ଜଣାଇଥିଲେ। ଏହି ଅଭିଯାନ ଆମେ ସଡ଼କ ସୁରକ୍ଷା ସପ୍ତାହ ପରେ ମଧ୍ୟ ଜାରି ରଖିବୁ। ସଡ଼କ ସୁରକ୍ଷା ସପ୍ତାହରେ ଆମେ ଆଖପାଖ ଅଞ୍ଚଳକୁ ଯାଇ ଲୋକମାନଙ୍କୁ ସଚେତନ କରାଇଥିଲୁ। ଏହା ସହ ଟ୍ରାଫିକ ନିୟମ ବିଷୟରେ ମଧ୍ୟ ଜଣାଇଥିଲୁ।