କୋଚି: ବୁଧବାର ପ୍ରତ୍ୟୁଷରେ ଦୁଇ ଜଣ ମହିଳା ସାବରିମାଲା ମନ୍ଦିରରେ ପ୍ରବେଶ କରିବାକୁ ଉଦ୍ୟମ କରିବା ଯୋଗୁଁ ସେଠାକାର ପରିସ୍ଥିତି ଉତ୍ତେଜନାମୟ ହୋଇ ଉଠିଥିଲା। ପ୍ରତିବାଦକାରୀମାନେ ନୀଲିମାଲା ଠାରେ ସେମାନଙ୍କୁ ପ୍ରାୟ ୩ ଘଣ୍ଟାକାଳ ଅଟକାଇ ରଖିବା ପରେ ଦୁହେଁ ଫେରିଯିବାକୁ ନିଷ୍ପତ୍ତି ନେଇଥିଲେ।
ରେଶମା ନିଶାନ୍ତ ବଂ ଶନୀଲା ସଜେଶ ନାମ୍ନା ଦୁଇ ମହିଳା ପୁରଷ ଲୋକ ଥିବା ଏକ ସାତଜଣିଆ ଦଳରେ ଆସିଥିଲେ। ପ୍ରାୟ ସାଢ଼େ ପାଞ୍ଚ କିଲୋମିଟର ପର୍ବତ ଚଢ଼ିବା ପରେ ରାଗି ଯାଇଥିବା ଭକ୍ତମାନେ ସେମାନଙ୍କୁ ବାଧା ଦେଇଥିଲେ। ଉଭୟ ପୁରୁଷଙ୍କ ଲାଗି ଉଦ୍ଦିଷ୍ଟ ପୋଷାକ ପିନ୍ଧିଥିବାରୁ ପ୍ରତିବାଦକାରୀମାନଙ୍କୁ ଏଡ଼ାଇ ଏତେ ଦୂର ଚାଲି ଆସିଥିଲେ। ପୁଲିସ ସୁରକ୍ଷା ଯୋଗାଇ ଦେବ ବୋଲି କହିବାରୁ ଉଭୟ ଆସିଥିବା କଥା ଦାବି କରିଛନ୍ତି।
ପାଞ୍ଚଜଣ ପ୍ରତିବାଦକାରୀଙ୍କୁ ପୁଲିସ ଗିରଫ କରିବା ପରେ ଦୁହେଁ ପୁଣି କିଛି ବାଟ ଅଗ୍ରସର ହୋଇଥିଲେ। କିନ୍ତୁ, ନୀଲିମାଲା ଠାରେ ବହୁସଂଖ୍ୟକ ଭକ୍ତ ତାଙ୍କୁ ଅଟକାଇବାରୁ ଯାତ୍ରା ସମ୍ଭବପର ହୋଇ ନ ଥିଲା।
ସନ୍ନିଧନମ୍ ଠାରେ ବ୍ୟାପକ ଭକ୍ତ ଗହଳି ଥିବା କାରଣରୁ ସୁରକ୍ଷା ଯୋଗାଇବା ସହଜ ନୁହେଁ ବୋଲି ପୁଲିସ ସେମାନଙ୍କୁ କହିଥିଲା। ଏବଂ ସେମାନଙ୍କୁ ବେସ୍ କ୍ୟାମ୍ପ୍ ପାମ୍ବାକୁ ଫେରାଇ ନେଇଥିଲେ।