ନିଖୋଜ ଥିବା ଦୁଇବର୍ଷର ଶିଶୁ ୨୫୦ ଫୁଟ୍‌ ଗାତ ଭିତରେ, ଜୋରସୋର ଚାଲିଛି ଉଦ୍ଧାର କାର୍ଯ୍ୟ

ସ୍ପେନ: ସ୍ପେନର ଏକ ପାହାଡି ଅଞ୍ଚଳରେ ଗତ ଏକ ସପ୍ତାହ ଧରି ୨୫୦ ଫୁଟ୍‌ ଗାତ ଭିତରେ ଦୁଇବର୍ଷର ଶିଶୁ ଫଶି ରହିଛି । ଶିଶୁଟିକୁ ଉଦ୍ଧାର କରିବା ପାଇଁ ପାୱରଫୁଲ ମେସିନ ସାହାଯ୍ୟରେ ସୁଡଙ୍ଗ ଖୋଳାଯାଉଥିବା ବେଳେ ପୂରା ବିଶ୍ୱର ଲୋକ ଏହି କୁନି ଶିଶୁଟିଏ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନ କରିଛନ୍ତି ।

ସୂଚନାଯୋଗ୍ୟ, ସ୍ପେନର ମଲଗା ଅଞ୍ଚଳରେ ଗତ ରବିବାର ଜୁଲେନ ରୋସେଲୋ ନାମକ ଏକ ଶିଶୁ ନିଖୋଜ ହୋଇଯାଇଥିଲା । ପରେ ଜଣାପଡିଥିଲା ଯେ, ଶିଶୁଟି ୨୫୦ ଫୁଟର ଖାତ ଭିତରକୁ ଗଳି ପଡିଛି । ତେବେ ଉକ୍ତ ଶିଶୁ ସହ କୌଣସି ସମ୍ପର୍କ କରାଯାଇପାରି ନାହିଁ । ଏହି ଗାତ ପାଖରୁ ଛୋଟ ଛୁଆର କେଶ ମିଳିଥିଲା । ପରେ ଏହାର ଡିଏନଏ ଟେଷ୍ଟ ପରେ ଏହାର ଜୁଲେନର କେଶ ବୋଲି ଜଣାପଡିଥିଲା ।

ଏହି ଘଟଣା ପରେ ଶିଶୁଟିକୁ ଉଦ୍ଧାର କରିବାକୁ ଆରମ୍ଭ ହୋଇଥିଲା ରେସ୍କ୍ୟୁ ଅପରେସନ । ପ୍ରଥମ ସୁଡଙ୍ଗ ଖୋଳିବା ପ୍ରୟାସ ବିଫଳ ହୋଇଥିଲା । ଏହାପରେ ଶକ୍ତିଶାଳୀ ମେସିନ ସାହାଯ୍ୟରେ ଆରମ୍ଭ ହେଲା ଦ୍ୱିତୀୟ ପର୍ଯ୍ୟାୟ ରେସ୍କ୍ୟୁ ଅପରେସନ । ସୁଡଙ୍ଗ ଖୋଳାଯିବା ସହ ଯଥାସମ୍ଭବ କୁନି ଶିଶୁ ପାଖରେ ପହଞ୍ଚିବାକୁ ଜୋରଦାର ଉଦ୍ୟମ କରାଯାଉଛି।

ସୁଡଙ୍ଗ ଖୋଳାଯିବା ପରେ ପ୍ରଥମେ କିଛି ରେସ୍କ୍ୟୁ ଟିମକୁ ଗର୍ତ୍ତ ମଧ୍ୟକୁ ପଠାଯିବ । ସେଠାରେ ପହଞ୍ଚିବା ପରେ କୁନି ଶିଶୁ ପାଖରେ ପହଞ୍ଚିବାକୁ ହାତରେ ୧୩ ଫୁଟ ଲମ୍ବର ସୁଡଙ୍ଗ ଖୋଳିବେ ଏହି ରେସ୍କ୍ୟୁ ଟିମ୍‌ । ଏହାପରେ ଉକ୍ତ କୁନି ଶିଶୁଟିକୁ ଉଦ୍ଧାର କରାଯିବ ବୋଲି ରେସ୍କ୍ୟୁ ଟିମର ଅଧିକାରୀ କହିଛନ୍ତି । ତେବେ ଶିଶୁଟିର ଜୀବନ ବଞ୍ଚାଇବାକୁ ଏବେ ପୂରା ଦୁନିଆର ଲୋକେ ଏବେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି ।

ସମ୍ବନ୍ଧିତ ଖବର