ତିନି ତାଲା ଝରକା ବାଟେ ଖସି ପଡ଼ିଲା ଦୁଇ ବର୍ଷିୟ ପୁଅ; ଧରି ପକାଇଲେ ତଳେ ଯାଉଥିବା ବାଟୋଇମାନେ

ସୁରଟ: ତିନି ତାଲା କୋଠାର ତୃତୀୟ ମହଲା ଝରକା ବାଟେ ବାହାରକୁ ଖସି ପଡୁଥିବା ଜଣେ ଦୁଇ ବର୍ଷିୟ ବାଳକ ଯୋଗକୁ କ୍ଷଣିକ ପାଇଁ ଦ୍ୱିତୀୟ ତାଲାରେ ଥିବା ଝରକାର ଗ୍ରିଲ୍‌ ଧରି ଝୁଲିପଡ଼ି ଚିତ୍କାର କରିବାରୁ ତଳେ ଯାଉଥିବା ବାଟୋଇମାନେ ପାତିଥିବା ହାତରେ ପଡ଼ିଯାଇ ବଞ୍ଚିଯାଇଛି। ରବିବାର ଦିନ ଘଟଣାଟି ଘଟିଛି ଦାମନ ଠାରେ।

ଜମାଲ ନାମରେ ସେ ଦୁଇ ବର୍ଷିୟ ବାଳକ ତଳେ ନ ପଡ଼ିଥିଲେ ବି ଦାମନ ସରକାରୀ ଡାକ୍ତରଖାନାରେ ତା’ର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। କିନ୍ତୁ ତା’ ଶରୀରର କୌଣସି ଅଂଶରେ କିଛି ଆଘାତ ହୋଇଥିବା ଜଣାପଡ଼ି ନ ଥିଲା।

ଜମାଲ୍‌ର ଅଜା ଇମ୍‌ରଫ୍‌ ଅଲି କହନ୍ତି: ଆମେ ଈଶ୍ୱର ଏବଂ ଯେଉଁମାନେ ଜମାଲ୍‌ଙ୍କୁ ଧରିପକାଇଲେ, ସେମାନଙ୍କ ନିକଟରେ କୃତଜ୍ଞ।
ସେ ଘରେ ଅନୁପସ୍ଥିତ ଥିବା ବେଳେ ଏ କାଣ୍ଡ ଘଟିଥିବା କଥା କହିଛନ୍ତି।

ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା ପରେ ମଙ୍ଗଳବାର ଦିନ କଥାଟି ଲୋକଲୋଚନକୁ ଆସିଲା। ରବିବାର ଦିନ ଘଟଣା ଘଟିବା ସମୟରେ ଦାମନର ମହମ୍ମଦ ଜମାଲ୍‌ ବଡ଼ଭାଇ ଅଲି ସହ ଖେଳୁଥିଲା।

Image Source: The Times of India

ବଡ଼ଭାଇ ରୋଷେଇଘରକୁ ଚାଲି ଯିବାରୁ ବୈଠକ ଘରେ ଜମାଲ ଏକାଥିବା ବେଳେ ବନ୍ଦ ଥିବା କାଚ ଝରକା ପାଖକୁ ଚାଲିଯାଇଥିଲା। କୌଣସିମତେ ଝରକା ଝିଟିକିଣି ଖୋଲି ସେ ବାହାରକୁ ଚାହୁଁଥିଲା। ଦୁର୍ଯୋଗକୁ ସେ ସନ୍ତୁଳନ ରକ୍ଷା କରି ନ ପାରି ବାହାରପଟକୁ ଖସି ପଡ଼ିଲା ବୋଲି ଅଜା ଇମ୍‌ରଫ୍‌ ଅଲି କହୁଛନ୍ତି।

ଯୋଗକୁ ଭୟଭୀତ ହୋଇଯାଇଥିବା ସେ ପିଲାଟି ଦ୍ୱିତୀୟ ତାଲାର ଝରକା ଗ୍ରିଲ୍‌କୁ କ୍ଷଣିକ ପାଇଁ ଧରି ପକାଇ ଚିତ୍କାର କଲା। ତା’ର ଚିତ୍କାର ଶୁଣି ତଳେ ସେବାଟେ ଯାଉଥିବା କେତେକ ଲୋକ ତାକୁ ଦେଖି ପକାଇଲେ। ସେଠାରୁ ସେ ତଳକୁ ଖସିପଡୁଥିବା ବେଳେ ସେ ବାଟୋଇମାନେ ହାତ ପତାଇ ଧରି ପକାଇଲେ।

ଘରର ମହିଳାମାନେ ଏତେ ଆତଙ୍କିତ ହୋଇପଡ଼ିଥିଲେ ଯେ ସେମାନେ ଉଦ୍ଧାରକାରୀମାନଙ୍କ ନାଁ ଓ ଠିକଣା ପଚାରିବାକୁ ଭୁଲିଯାଇଥିଲେ। ସେମାନଙ୍କୁ ଖୋଜା ଚାଲିଛି ବୋଲି ତା’ର ଅଜା କହିଛନ୍ତି।

ଘଟଣା ଘଟିଯିବାର ଦୁଇ ଦିନ ପରେ ମଧ୍ୟ ପରିବାର ଲୋକଙ୍କ ମନରୁ ଛନକା ଯାଇନାହିଁ।

ସମ୍ବନ୍ଧିତ ଖବର