ବିଂଝାରପୁର/ସିଂହପୁର: ଭାରତ କ୍ରିକେଟ ବିଶ୍ବକପ୍ ଫାଇନାଲ୍ରେ ହାରିଯିବାରୁ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ ଜୀବନ ହାରି ଦେଇଛନ୍ତି। ମୃତ ଯୁବକ ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ଜରୀ ପଞ୍ଚାୟତ କୁଳସାହି ଗ୍ରାମର ନୀଳମଣି ଦାସଙ୍କ ସାନପୁଅ ଦେବରଞ୍ଜନ(୨୩)। ଆଜି ସକାଳୁ ପଡ଼ୋଶୀଙ୍କ ଛାତରେ ଏକ ରଡ୍ରେ ତାଙ୍କର ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା। ପରିବାର ଲୋକଙ୍କ ଠାରୁ ସୂଚନା ପାଇ ଫାଣ୍ଡି ଅଧିକାରୀ ଇନ୍ଦ୍ରମଣି ଜୁଆଙ୍ଗ ପହଞ୍ଚି ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ପରିବାର ଲୋକଙ୍କ ସୂଚନା ଅନୁଯାୟୀ ଦେବରଞ୍ଜନ ଜଣେ କ୍ରିକେଟ୍ ପ୍ରେମୀ ଥିଲେ। ଗତକାଲିର ସାଙ୍ଗମାନଙ୍କ ସହିତ ବିଶ୍ୱକପ୍ କ୍ରିକେଟ୍ ଫାଇନାଲ୍ ଖେଳ ଦେଖୁଥିଲେ। ମ୍ୟାଚ୍ ପରେ ଘରକୁ ଆସି ଭାରତ ହାରିଯାଇଥିବା ମାଆଙ୍କୁ କହିଥିଲେ। ବ୍ୟସ୍ତବିବ୍ରତ ହୋଇ ଘରୁ ବାହାରକୁ ଚାଲିଯିବା ପରେ ରାତିରେ ଆଉ ଫେରିନଥିଲେ। ଆଜି ଭୋରୁ ଦେବଙ୍କ ଝୁଲନ୍ତା ମୃତଦେହ ତାଙ୍କ ସାନବାପା ମହେଶ୍ୱର ଦାସଙ୍କ ନିର୍ମାଣାଧୀନ କୋଠାଘରର ଛାତ ରଡ୍ରେ ଏକ ରଶିରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ବିଂଝାରପୁର ଥାନାରେ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ବୋଲି ଥାନାଧିକାରୀ ଶଙ୍କର୍ଷଣ ଦଳେଇ ସୂଚନା ଦେଇଛନ୍ତି।
ନୂଆଦିଲ୍ଲୀ: ଦିନିକିଆ ବିଶ୍ବକପ୍ ଫାଇନାଲ୍ରେ ଭାରତ ପରାସ୍ତ ହେବା ପରେ ଜଣେ ଯୁବକ ପରାଜୟକୁ ସହି ନପାରି ଜୀବନ ହାରିଛନ୍ତି। ମୃତ ଯୁବକ ଜଣକ ପଶ୍ଚିମବଙ୍ଗର ରାହୁଲ ଲୋହର (୨୩) ବୋଲି ଜଣାପଡ଼ିଛି। ରାହୁଲଙ୍କ କ୍ରିକେଟ୍ ପ୍ରତି ବହୁତ ଦୁର୍ବଳତା ଥିଲା। ଭାରତ ଏଥର ବିଶ୍ବକପ୍ ଜିତିବ ବୋଲି ସମସ୍ତ ଭାରତୀୟଙ୍କ ପରି ସେ ମଧ୍ୟ ଆଶା ରଖିଥିଲେ। କିନ୍ତୁ ଭାରତ ହାରିଯିବା ପରେ ରାହୁଲ କାହାକୁ କିଛି ନକହି ଘର ଭିତର ପଟୁ କବାଟ ବନ୍ଦ କରିଦେଇଥିଲେ। ଏହାକୁ ପରିବାର ଲୋକେ ଗୁରୁତର ଭାବେ ନେଇ ନଥିଲେ। କିନ୍ତୁ ଅନେକ ସମୟ ଧରି ପୁଅ ଘରୁ ନବାହାରିବାରୁ ମା’ କବାଟ ବାଡ଼େଇଥିଲେ। ଭିତରୁ କୌଣସି ଶବ୍ଦ ନଶୁଣାଯିବାରୁ ସନ୍ଦେହ ହୋଇଥିଲା। ପଡ଼ିଶା ଲୋକଙ୍କ ସହାୟତାରେ କବାଟ ଭାଙ୍ଗି ଭିତରେ ଦେଖିଲା ବେଳେକୁ ରାହୁଲ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ମିଳିଥିଲା। ଏହାକୁ ଦେଖି ତାଙ୍କ ବାପା ମଧ୍ୟ ଚେତାଶୂନ୍ୟ ହୋଇଯାଇଥିଲେ। ତୁରନ୍ତ ରାହୁଲଙ୍କୁ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।