ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମେରଠର ସଦର ବଜାର ଅଞ୍ଚଳରୁ ଗତଶୁକ୍ରବାର ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ରାସ୍ତାରେ ଲୋକମାନେ ଯାତାୟାତ କରୁଥିବା ବେଳେ ଏକ କୋଠା ଭୁଶୁଡ଼ି ପଡ଼ିଥିଲା। ଏହି ଭୟାବହ ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି।
ଏହି ଭାଇରାଲ ଭିଡିଓରେ ପ୍ରଥମେ ଦେଖିବାକୁ ମିଳୁଛି ଗଳିରେ ଜଣେ ସ୍କୁଟି ଆରୋହୀ ଯାଉଛନ୍ତି। ଏହାପରେ ସାଇକେଲରେ ଛୋଟପିଲାଟିଏ ଓ ମହିଳା ଉକ୍ତ ଗଳି ଦେଇ ଯାଉଛନ୍ତି। କିଛିସମୟ ପରେ ୯ରୁ୧୦ବର୍ଷ ବୟସ ମଧ୍ୟରେ ଦୁଇଜଣ ଶିଶୁ ଉକ୍ତ ଗଳି ଦେଇ ଯାଉଥିବା ବେଳେ ୧୦୦ରୁ ୧୫୦ ବର୍ଷ ପୁରୁଣାର କୋଠାର ସାମ୍ନା ଅଂଶ ଧୁଧୁ ହୋଇ ରାସ୍ତାରେ ଖସି ପଡ଼ିଥିଲା। ସୌଭାଗ୍ୟବଶତଃ ଶିଶୁଦ୍ବୟ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ଖବର ଲେଖା ହେଲା ପର୍ଯ୍ୟନ୍ତ ଦୁଇଶିଶୁଙ୍କ ପରିଚୟ ମିଳି ପାରି ନଥିଲା। ତେବେ ଭଶୁଡ଼ି ପଡ଼ିଥିବା କୋଠା ଜୈନ ସମାଜର ଟ୍ରଷ୍ଟର ଥିବା କୁହାଯାଉଛି। ଅନେକଥର ଏହି କୋଠା ଭାଙ୍ଗିବା ପାଇଁ ନୋଟିସ ବି ପଠାଯାଇଥିଲା। କିନ୍ତୁ ଶୁକ୍ରବାର ଦ୍ବିପହର ସମୟରେ ଏହି କୋଠା ଆପଣାଛାଏଁ ହିଁ ଧୁଧୁହୋଇ ଭୁଶୁଡ଼ି ପଡ଼ିଥିଲା।