ଜାପାନରେ ଭୟଙ୍କର ତୋଫାନ ନାନ‌ମାଡ଼ୋଲ; ୨ ମୃତ, ୯୦ ଲକ୍ଷ ଲୋକ ସ୍ଥାନାନ୍ତର

ଟୋକିଓ : ଜାପାନରେ ଭୟଙ୍କର ତୋଫାନ ନାନମାଡ଼ୋଲ ରବିବାର ସକାଳେ ସ୍ଥଳଭାଗ ଛୁଇଁଛି। ବର୍ତ୍ତମାନ ସୁଦ୍ଧା ଏହି ବାତ୍ୟାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପାଖାପାଖି ୯୦ ଜଣ ଆହତ ହୋଇଛନ୍ତି। ୯୦ ‌ଲକ୍ଷ ଲୋକଙ୍କୁ ସେମାନଙ୍କ ଘରୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଜାପାନର ଦକ୍ଷିଣରେ କ୍ୟୁଶୁ ଦ୍ବୀପର କାଗୋସିମା ସହର ନିକଟରେ ତୋଫାନ ରବିବାର ଲ୍ୟାଣ୍ଡଫଲ ହୋଇଛି। ଆସନ୍ତା କିଛିଦିନ ମଧ୍ୟରେ ଏହା ଜାପାନର ମୁଖ୍ୟ ଦ୍ବୀପ ହୋନସୁ ଅତିକ୍ରମ କରିବା ଅନୁମାନ କରାଯାଉଛି। ବାତ୍ୟା ପାଇଁ ହଜାର ହଜାର ଲୋକ ରବିବାର ରାତିରେ ଜରୁରୀକାଳୀନ ଆଶ୍ରୟସ୍ଥଳରେ ରାତ୍ରିଯାପନ କରିଛନ୍ତି। ୩ ଲକ୍ଷ ୫୦ ହଜାର ଲୋକ ବିନା ବିଜୁଳିରେ ଅଛନ୍ତି। ପରିବହନ ଏବଂ ବ୍ୟବସାୟ ପ୍ରଭାବିତ ହୋଇଛି। ଦେଶରେ ଭୂସ୍ଫଳନ ଏବଂ ବନ୍ୟା ସ୍ଥିତି ଦେଖାଦେଇଛି।

aviacionline.com

ବାତ୍ୟାରେ ପବନର ବେଗ ଘଣ୍ଟାପ୍ରତି ୨୩୪ କିମି ରହିଛି। କିଛି ଅଞ୍ଚଳରେ ୨୪ ଘଣ୍ଟାରେ ୪୦୦ ମିଲିମିଟର ବର୍ଷା ହେବା ନେଇ ଆକଳନ କରାଯାଇଛି। ବାତ୍ୟା ଯୋଗୁଁ ଜାପାନରେ ବୁଲେଟ ଟ୍ରେନ, ଡଙ୍ଗା ଏବଂ ବିମାନ ସେବା ପ୍ରଭାବିତ ହୋଇଛି। ଶହ ଶହ ବିମାନ ବାତିଲ ହୋଇଛି। ରାଜଧାନୀ ଟୋକିଓରେ ମଧ୍ୟ ପ୍ରବଳ ବର୍ଷ ହୋଇଛି। କାଗୋସିମା, ମିୟାଜାକି, ଓଇଟା, କୁମାମୋଟୋ ଏବଂ ୟାମାଗୁଚି ଅଞ୍ଚଳରେ ସର୍ବୋଚ୍ଚ ସ୍ତରର ସତର୍କତା (ଲେବେଲ-୫) ଜାରି କରାଯାଇଛି।

ସମ୍ବନ୍ଧିତ ଖବର