ଲାବ୍ ରିପୋର୍ଟରେ ତ୍ରୁଟି ଯୋଗୁଁ ଭାରତୀୟ ଜେଲରେ ୧୮ ମାସ ରହିଲେ ନାଇଜେରିଆ ଯୁବକ

ମୁମ୍ବାଇ : ଲାବରେଟୋରି ରିପୋର୍ଟରେ ଗୋଟିଏ ଛୋଟିଆ ତ୍ରୁଟି ଯୋଗୁଁ ଜଣେ ନାଇଜେରିଆ ନାଗରିକଙ୍କୁ ଭାରତୀୟ ଜେଲରେ ୧୮ ମାସ କଟାଇବାକୁ ପଡ଼ିଲା । ଏପରି ଘଟଣା ଘଟିଛି ମହାରାଷ୍ଟ୍ରରେ ।

୨୭ ବର୍ଷୀୟ ନାଇଜେରୀୟ ଯୁବକଙ୍କୁ ଗତ ୨୦୨୦ ଅକ୍ଟୋବର ମାସ ୨୩ ତାରିଖରେ ମହାରାଷ୍ଚ୍ର ପୁଲିସର ଏଟିଏସ ଗିରଫ କରିଥିଲା । ତାଙ୍କ ପାଖରୁ ମିଳିଥିବା ସାମଗ୍ରୀକୁ କେମିକାଲ ଆନାଲିସିସ ପାଇଁ ପଠାଯାଇଥିଲା । କେମିକାଲ ଆନାଲିସିସ ରିପୋର୍ଟରେ ତାହା କୋକେନ ବା ଏକଟାସି ନ ଥିଲା ବୋଲି ଜଣାପଡ଼ିଥିଲା । କିନ୍ତୁ ଫୋରେନସିକ ଲାବରେଟୋରୀର ସହକାରୀ ନିର୍ଦ୍ଦେଶକ ନିଜ ରିପୋର୍ଟରେ ଭୁଲରେ ଉକ୍ତ ସାମଗ୍ରୀ ଏନଡିପିଏସ ଆଇନ ଅଧିନରେ ଆସୁଥିବା ବୋଲି ଦର୍ଶାଇଥିଲେ । କିନ୍ତୁ ପ୍ରକୃତରେ ତାଙ୍କର କୌଣସି ନିଷିଦ୍ଧ ସାମଗ୍ରୀ ମିଳିନଥିଲା ।

ମାମଲାର ବିଚାର କରି ବମ୍ବେ ହାଇକୋର୍ଟ ବୁଧବାରଦିନ ତାଙ୍କୁ ମୁକ୍ତ କରିବା ସହ କ୍ଷତିପୂରଣ ଦେବାକୁ ମହାରାଷ୍ଟ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଅଗଷ୍ଟ ୧୨ ସୁଦ୍ଧା ମହାରାଷ୍ଟ୍ର ସରକାର କ୍ଷତିପୂରଣ ରାଶି ସଂପର୍କରେ ନିଷ୍ପତ୍ତି ନ ନେଲେ କୋର୍ଟ ନିଜେ କ୍ଷତିପୂରଣ ରାଶି ଘୋଷଣା କରିବେ ବୋଲି ହାଇକୋର୍ଟର ବିଚାରପତି ଜଷ୍ଟିସ ଭାରତୀ ଡାଙ୍ଗରେ କହିଛନ୍ତି ।

ବୁଧବାର ଦିନ ଅନୁଷ୍ଠିତ ମାମଲାରେ ଶୁଣାଣି ବେଳେ ବମ୍ବେ ହାଇକୋର୍ଟ ସଂପୃକ୍ତ ଯୁବକଠାରୁ ମିଳିଥିବା ସାମଗ୍ରୀର ସତ୍ୟତା ଜାଣିବାକୁ ଚାହିଁଥିଲେ । ଏହି ସମୟରେ ସରକାରୀ ଓକିଲ ଜଣାଇଥିଲେ ଯେ ଫୋରେନସିକ ଲାବରୋଟୋରୀ ରିପୋର୍ଟରେ ସାମାନ୍ୟ ମୁଦ୍ରଣଗତ ତ୍ରୁଟି ରହିଥିଲା ।

 

ସମ୍ବନ୍ଧିତ ଖବର