ସିରିଆ ଉପରେ ଏୟାର ଷ୍ଟ୍ରାଇକ୍‌ କଲା ଆମେରିକା: ଟାର୍ଗେଟରେ ଇରାନ୍‌ ସମର୍ଥିତ ସନ୍ତ୍ରାସବାଦୀ

ଓ୍ଵାଶିଂଟନ: ଆମେରିକା ସେନା ଗୁରୁବାର ଦିନ ସିରିଆ ଉପରେ ଏୟାର ଷ୍ଟ୍ରାଇକ୍‌ (ଆକାଶମାର୍ଗରୁ ଆକ୍ରମଣ) କରିଛି। ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ନିର୍ଦ୍ଦେଶକ୍ରମେ ସିରିଆର ପୂର୍ବରେ ସକ୍ରିୟ ଥିବା ଇରାନ୍‌ ସମର୍ଥିତ ସନ୍ତ୍ରାସବାଦୀ ଗୋଷ୍ଠୀଙ୍କୁ ଟାର୍ଗେଟ କରି ୟୁଏସ୍‌ ସେନା ପକ୍ଷରୁ ଏହି ଏୟାର ଷ୍ଟ୍ରାଇକ୍‌ କରାଯାଇଥିବା ପେଣ୍ଟାଗନ ପକ୍ଷରୁ କୁହାଯାଇଛି।

ଆମେରିକାର ଏୟାର ଷ୍ଟାଇକ୍‌ ନେଇ ସିରିଆ ତୁରନ୍ତ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହିଁ। କିନ୍ତୁ ରାଷ୍ଟ୍ରାୟତ୍ତ ଏଖ୍‌ବରିୟା ଟିଭି କହିଛି ଯେ ସିରିଆ-ଇରାକ ସୀମା ନିକଟରେ ଥିବା ଅନେକ ଟାର୍ଗେଟ ବିରୋଧରେ ଏହି ଷ୍ଟ୍ରାଇକ୍‌ ସକାଳ ସମୟରେ କରାଯାଇଥିଲା। ଜଣେ ଇରାକ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ ଅତି କମରେ ଜଣେ ଯବାନ ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ ଚାରିଜଣ ଆହତ ହୋଇଛନ୍ତି। ତେବେ, ଡାକ୍ତରଖାନାର ଏକ ସ୍ଥାନୀୟ ସୂତ୍ରରୁ ପ୍ରକାଶ ଯେ ଏହି ଆକ୍ରମଣ ଘଟଣାରେ ୧୭ ଜଣଙ୍କର ମୃତ୍ୟୁ ଘଟିଛି।

ତେବେ, ରାଷ୍ଟ୍ରପତି ବାଇଡେନଙ୍କ ଏହି ନିଷ୍ପତ୍ତି କେବଳ ସିରିଆ ଏବଂ ଇରାକରେ ନୁହେଁ, ଅନ୍ତତଃ ପକ୍ଷେ ବର୍ତ୍ତମାନ ପାଇଁ ଇରାକ ସରକାରଙ୍କୁ କିଛି ପରିମାଣର ଆଶ୍ୱସ୍ତି ପ୍ରଦାନ କରିବ। କାରଣ ଫେବ୍ରୁଆରି ୧୫ରେ ହୋଇଥିବା ଆକ୍ରମଣରେ ଆମେରିକୀୟମାନେ ଆହତ ହୋଇଥିଲେ।

ପେଣ୍ଟାଗନ୍‌ ମୁଖପାତ୍ର ଜନ୍‌ କିର୍ବି ଏକ ବିବୃତ୍ତିରେ କହିଛନ୍ତି ଯେ ରାଷ୍ଟ୍ରପତି ବାଇଡେନଙ୍କ ନିର୍ଦ୍ଦେଶରେ ଆମେରିକାର ସୈନ୍ୟ ବାହିନୀ ଗୁରୁବାର ସନ୍ଧ୍ୟାରେ ପୂର୍ବ ସିରିଆରେ ଇରାନ ସମର୍ଥିତ ସନ୍ତ୍ରାସବାଦୀ ଗୋଷ୍ଠୀ ଦ୍ୱାରା ବ୍ୟବହୃତ ଭିତ୍ତିଭୂମି ଉପରେ ଏୟାର ଷ୍ଟ୍ରାଇକ୍‌ କରିଥିଲେ। ରାଷ୍ଟ୍ରପତି ବାଇଡେନ ଆମେରିକା ଏବଂ ଏହାର ସହଯୋଗୀଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରିବେ। ଏଥି ସହିତ, ଆମେ ଏକ ସୁଚିନ୍ତିତ ଢ଼ଙ୍ଗରେ କାର୍ଯ୍ୟ କରିଛୁ ଯାହା ଉଭୟ ପୂର୍ବ ସିରିଆ ଏବଂ ଇରାକରେ ଉତ୍ତେଜନାକୁ ହ୍ରାସ କରିବାକୁ ଲକ୍ଷ୍ୟ ରଖିଛି।

ସମ୍ବନ୍ଧିତ ଖବର