ଉଇଘର ମୁସଲିମ୍‌ଙ୍କୁ ନିର୍ଯାତନା ଚୀନ୍‌ ବିରୋଧରେ ଆମେରିକାର କଟକଣା

ୱାସିଂଟନ୍‌ : ଚୀନ୍‌ ଉଇଘର ଏବଂ ଅନ୍ୟ ମୁସଲିମ୍‌ ସଂପ୍ରଦାୟର ଲୋକଙ୍କୁ ସରକାର ବର୍ଷ ବର୍ଷ ଧରି ଅଟକ ରଖି ନିର୍ଯାତନା ଦେଉଥିବାରୁ ଏହା ବିରୋଧରେ ଆମେରିକା କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଉଇଘର ମୁସଲିମ୍‌ ନିର୍ଯାତନା ପ୍ରସଙ୍ଗରେ ଆମେରିକା ଚୀନ୍ ବି‌ରୋଧରେ ବିଭିନ୍ନ କଟକଣା ଲଗାଇଛି। ନିର୍ଯାତନାରେ ସାମିଲ ଥିବା ଅନେକ ଚୀନ୍‌ ଅଧିକାରୀଙ୍କ ଉପରେ ଯାତ୍ରା ପ୍ରତିବନ୍ଧକ ଲଗାଇଛି ଆମେରିକା। ଚୀନ୍‌ର ଜିନଜିଆଙ୍ଗ ପ୍ରଦେଶରେ ମୁସଲିମ୍‌ଙ୍କ ବିରୋଧରେ ‌ଯେଉଁ ଅନ୍ୟାୟ ଅତ୍ୟାଚାର ହେଉଛି‌ ସେଥିରେ ସମ୍ପୃକ୍ତ ଥିବା ଚୀନ୍‌ ଅଧିକାରୀ ଏବଂ କମ୍ୟୁନିଷ୍ଟ୍‌ ପାର୍ଟି ଅଧିକାରୀମାନଙ୍କୁ ଆମେରିକା ଭିସା ଦେବନାହିଁ ବୋଲି ଏହାର ବିଦେଶ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଏହି ଯାତ୍ରା ପ୍ରତିବନ୍ଧକ ଦ୍ବାରା କେତେଜଣ ଅଧିକାରୀ ପ୍ରଭାବିତ ହେବେ ତାହା ଜଣାପଡ଼ିନଥିଲେ ମଧ୍ୟ ଅଧିକାରୀଙ୍କ ପରିବାର ସଦସ୍ୟଙ୍କ କ୍ଷେତ୍ରରେ ମଧ୍ୟ ଏହି ସମାନ ନିୟମ ଲାଗୁ ହେବ ବୋଲି ଆମେରିକା ସ୍ପଷ୍ଟ କରିଛି। ଅନ୍ୟପକ୍ଷେ ଉଇଘର ନିର୍ଯାତନା ପ୍ରସଙ୍ଗରେ ମଧ୍ୟ ଆମେରିକା ୨୮ଟି ଚୀନ୍‌ ପ୍ରତିଷ୍ଠାନକୁ ବ୍ଲାକଲିଷ୍ଟ୍‌ କରିଛି। ଏହି ପ୍ରତିଷ୍ଠାନଗୁଡ଼ିକ ୱାସିଂଟନ୍‌ର ବିନା ଅନୁମତିରେ କୌଣସି ଆମେରିକୀୟ କମ୍ପାନିଠାରୁ କିଛି ଦ୍ରବ୍ୟ କିଣିପାରିବେ ନାହିଁ। ଅନ୍ୟପକ୍ଷେ ଏହି ମାମଲାରେ ଚୀନ୍‌ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛି ଯେ ଆମେରିକାର ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ।

ସମ୍ବନ୍ଧିତ ଖବର