ୱାସିଂଟନ : ବିଦେଶରେ ଆମେରିକୀୟ କୂଟନୀତିଜ୍ଞ ଏବଂ ଗୁଇନ୍ଦା ଅଧିକାରୀମାନେ ବିଭିନ୍ନ ସମୟରେ ମାଇକ୍ରୋୱେଭ ଆକ୍ରମଣର ଶିକାର ହୋଇଛନ୍ତି ବୋଲି ତଦନ୍ତରୁ ଜଣାପଡ଼ିଛି। ବିଗତ କିଛି ବର୍ଷ ମଧ୍ୟରେ ବିଦେଶରେ ଆମେରିକୀୟ କୂଟନୀତିଜ୍ଞ ଏବଂ ଗୁଇନ୍ଦା ଅଧିକାରୀମାନଙ୍କୁ ମାଇକ୍ରୋୱେଭ୍‌ ଅସ୍ତ୍ରରେ ଆକ୍ରମଣ କରାଯାଇଛି ବୋଲି ଆମେରିକାର ‘ନ୍ୟାସନାଲ ଏକାଡେମି ଅଫ୍‌ ସାଇନ୍‌ସ, ଇଞ୍ଜିନିୟରିଂ ଆଣ୍ଡ ମେଡିସିନ’ ଦ୍ବାରା ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି। ଏକ ପ୍ରକାର ରେଡିଓ ଫ୍ରିକ୍ବେନ୍‌ସି ବିକିରଣ ଜରିଆରେ କେବଳ ଆମେରିକୀୟ କୂଟନୀତିଜ୍ଞଙ୍କ ଉପରେ ଆକ୍ରମଣ କରାଯାଇଛି। ଏହି ମାଇକ୍ରୋୱେଭ୍‌ ଆକ୍ରମଣ ଫଳରେ ଏକ ପ୍ରକାର ରୋଗ ସୃଷ୍ଟି ‌ହୋଇଥାଏ, ଯାହା ‘ହାଭାନା ସିଣ୍ଡ୍ରୋମ୍‌’ ନାମରେ ପରିଚିତ।

Advertisment

୨୦୧୬ରେ ପ୍ରଥମେ ହାଭାନାଠାରେ ଆମେରିକୀୟ ଦୂତାବାସର ଅଧିକାରୀଙ୍କ ଉପରେ ମାଇକ୍ରୋୱେଭ୍‌ ଆକ୍ରମଣ ହୋଇଥିବା ଖବର ଜଣାପଡ଼ିଥିଲା। ଏହାପରେ ଚୀନ୍‌, ରୁଷିଆ, କ୍ୟୁବା ସମେତ ଅନ୍ୟାନ୍ୟ ଦେଶମାନଙ୍କରେ ଆମେରିକୀୟ କୂଟନୀତିଜ୍ଞମାନଙ୍କ ଉପରେ ମାଇକ୍ରୋୱେଭ ଆକ୍ରମଣ ‌ହୋଇଥିଲା। ଏଭଳି ଆକ୍ରମଣ ଫଳରେ ଶରୀରରେ ଏକ ଅଜଣା ରୋଗ ଦେଖା ଦେଇଥିଲା। ରୋଗୀଙ୍କ ମୁଣ୍ଡ ବିନ୍ଧା ସାଙ୍ଗକୁ ଦେହ ବିନ୍ଧା, ଶ୍ରବଣ ଓ ସ୍ମୃତି ଶକ୍ତି ହରାଇବା ଭଳି ମାରାତ୍ମକ ପରିବର୍ତ୍ତନ ଦେଖା ଦେଇଥାଏ। ରୋଗୀ ସ୍ମୃତି ଶକ୍ତି ହରାଇ ବସନ୍ତି। ତେବେ କିଏ ଏବଂ ନିର୍ଦ୍ଦିଷ୍ଟ ଭାବେ କାହିଁକି ଆମେରିକୀୟ କୂଟନୀତିଜ୍ଞଙ୍କ ଉପରେ ଏଭଳି ରେଡିଓ ୱେଭ ଆକ୍ରମଣ କରୁଛି ତାହାକୁ ନେଇ ଆମେରିକା ଚିନ୍ତା ପ୍ରକଟ କରିଛି।