ତାଲିବାନଙ୍କ ପ୍ରତ୍ୟାବର୍ତ୍ତନ ପଛରେ ଆମେରିକୀୟ କୂଟନୀତିଜ୍ଞ ଜାଲମେ ଖାଲିଜାଦ

କାବୁଲ: ଆଫଗାନିସ୍ତାନରେ ଶାନ୍ତି ଫେରାଇ ଆଣିବା ପାଇଁ ପୂର୍ବରୁ ନିୟୋଜିତ ହୋଇଥିବା କୂଟନୀତିଜ୍ଞ ଜାଲମେ ଖାଲିଜାଦଙ୍କ ଭୂମିକା ଏବେ ଚର୍ଚ୍ଚାରେ ରହିଛି। ଶାନ୍ତି ପ୍ରକ୍ରିୟା ଭୁଲ୍‌ ବାଟରେ ଚାଲିଯିବାରୁ ଏହି ପୋଖତ କୂଟନୀତିଜ୍ଞ ତାଙ୍କ ଆଖି ଆଗରେ ଆଫଗାନିସ୍ତାନର ପତନ ଦେଖିଲେ। ଏହି ୭୦ ବର୍ଷୀୟ ଆଫଗାନ-ଆମେରିକାନ୍ କୂଟନୀତିଜ୍ଞଙ୍କୁ ତାଲିବାନ ସହ କଥା ହେବା ପାଇଁ ଆମେରିକା ନିଯୁକ୍ତ କରିଥିଲା, ଯାହାଫଳରେ ଆମେରିକା ସେନାକୁ ଆଫଗାନିସ୍ତାନ ଛାଡ଼ି ନିଜ ଦେଶକୁ ପ୍ରତ୍ୟାବର୍ତ୍ତନର ପଥ ପରିଷ୍କାର ହୋଇପାରିବ ଏବଂ ଦୀର୍ଘ ୨୦ ବର୍ଷ ଯୁଦ୍ଧର ପରିସମାପ୍ତି ଘଟିବ। ବର୍ଷାଧିକ କାଳ ଧରି ତାଲିବାନଙ୍କ ସହ କଥାବାର୍ତ୍ତା କରିବା ପରେ ସେମାନେ ସାଲିସ ପାଇଁ ରାଜି ହୋଇଛନ୍ତି ବୋଲି ଖାଲିଜାଦ ଜଣାଇଥିଲେ। କିନ୍ତୁ ଆଫଗାନିସ୍ତାନର ପତନ ପରେ ଏକଦା ସାମାଜିକ ଗଣମାଧ୍ୟମରେ ସକ୍ରିୟ ଥିବା ଖାଲିଜାଦ ଏବେ ନିରବ ହୋଇଯାଇଛନ୍ତି। କୂଟନୈତିକ ସମାଧାନ ପାଇଁ ସେ ଫୋନ ମାଧ୍ୟମରେ କାମ କଲେ। କିନ୍ତୁ ଯୁଦ୍ଧର ପରିସମାପ୍ତି ହେବା ଆଶା କରି ସେ ଯେଉଁ ଚୁକ୍ତି କଲେ, ତାହାଦ୍ବାରା ବାସ୍ତବରେ ଚରମ ବିପର୍ଯ୍ୟୟ ଘଟିଲା।

ହଡସନ ଇନ୍‌ଷ୍ଟିଚ୍ୟୁଟ୍‌ର ବରିଷ୍ଠ ଫେଲୋ ହୁସେନ ହକାନି କହିଛନ୍ତି ଯେ ଖାଲିଜାନ ତାଲିବାନ ସହ ଶାନ୍ତି ଚୁକ୍ତି କରିଥିବା ନେଇ ଏକାଧିକ ରାଷ୍ଟ୍ରମୁଖ୍ୟଙ୍କୁ କହିଥିଲେ। କିନ୍ତୁ ବାସ୍ତବରେ ଏହା ଶାନ୍ତି ଚୁକ୍ତି ନୁହେଁ ବରଂ ଥିଲା ସମର୍ପଣ। ସେ ଠିକ୍‌ଭାବେ କଥାବାର୍ତ୍ତା କଲେ ନାହିଁ, ତାଲିବାନଙ୍କ ସାହସ ବଢ଼ାଇଦେଲେ ଏବଂ ମିଛ ଆଶ୍ବାସନା ଦେଲେ ଯେ ଏହାଦ୍ବାରା ଏକ କ୍ଷମତା ସହବଣ୍ଟନ ଚୁକ୍ତି ହେବ। କିନ୍ତୁ ବାସ୍ତବରେ ତାଲିବାନଙ୍କର କ୍ଷମତା ସହବଣ୍ଟନ ଲାଗି କୌଣସି ଅଭିପ୍ରାୟ ନ ଥିଲା। ତେଣୁ ଆଫଗାନିସ୍ତାନର ପତନ ଓ ତାଲିବାନଙ୍କ ଉତ୍ଥାନ ପଛରେ ଅଛି ଖାଲିଜାଦଙ୍କ ବିଫଳତା ଓ ମିଛ ଆଶ୍ବାସନା।

ସମ୍ବନ୍ଧିତ ଖବର