ଵାସିଂଟନ: ମହାମାରୀ କୋଭିଡ୍-୧୯ର ଉତ୍ପତ୍ତିସ୍ଥଳ ବାହାର କରିବା ପାଇଁ ସମଗ୍ର ବିଶ୍ବବାସୀ ଏବେ ଚୀନ ସରକାରଙ୍କ ସହଯୋଗ କାମନା କରୁଛି। ଏହାଦ୍ବାରା ଭବିଷ୍ୟତରେ ଅନ୍ୟ କୌଣସି ମହାମାରୀର ଆବିର୍ଭାବକୁ ଦୂରେଇ ଦେଇ ହେବ ବୋଲି ଆମେରିକାର ପ୍ରଖ୍ୟାତ ଭୂତାଣୁ ବିଶେଷଜ୍ଞମାନେ ଆଶା ପ୍ରକଟ କରିଛନ୍ତି। ଅନ୍ୟଥା ବିଶ୍ବକୁ କୋଭିଡ୍-୨୬ ଓ କୋଭିଡ୍-୩୨ ପରି ମହାମାରୀକୁ ଆମନ୍ତ୍ରଣ କରିବାକୁ ହେବ ବୋଲି ସେମାନେ ସତର୍କ କରାଇଦେଇଛନ୍ତି। ଘାତକ ଅଭିନବ କରେୋନାଭୂତାଣୁ ସାର୍ସ-କୋଭ୍-୨ ଚୀନ୍ର ଉହାନ ସହର ସ୍ଥିତ ଏକ ଭୂତାଣୁ ବିଜ୍ଞାନାଗାରରୁ ଖସି ଆସି ପୃଥିବୀ ତମାମ ବ୍ୟାପିଯାଇଥିବା ତତ୍ତ୍ବକୁ ଦୃଢ଼ କରିବା ପାଇଁ ନୂଆ ନୂଆ ତଥ୍ୟଗତ ସମର୍ଥନ ମିଳିଚାଲିଛି। ଅପରପକ୍ଷେ, ଉହାନ ବିଜ୍ଞାନାଗାରରେ ତାହା ଘଟିନାହିଁ ବୋଲି ଚୀନ୍ ଆବଶ୍ୟକ ପ୍ରମାଣ ମଧ୍ୟ ବାଢ଼ିପାରିନାହିଁ। ସେହିପରି ଏହି ଭୂତାଣୁ କୌଣସି ପଶୁ ଦେହରୁ ସୃଷ୍ଟି ହୋଇଥିବା ସମ୍ପର୍କରେ ମଧ୍ୟ ବଳିଷ୍ଠ ପ୍ରମାଣ ନାହିଁ ବୋଲି ଆମେରିକାର ବିଶିଷ୍ଟ ଭୂତାଣୁ ବିଶେଷଜ୍ଞ ତଥା ଫାଇଜର କମ୍ପାନି ପରିଚାଳନା କମିଟି ସଦସ୍ୟ ସ୍କଟ୍ ଗୋତ୍ଲିବ୍ କହିଛନ୍ତି।
ଏ ପରିପ୍ରେକ୍ଷୀରେ ଚଳିତ ମହାମାରୀର ଉତ୍ପତ୍ତି ସମ୍ପର୍କରେ ନ ଜାଣିଲା ଯାଏ ସାରା ବିଶ୍ବ ପାଇଁ କୌଣସି ଅଜଣା ମହାମାରୀର ବିପଦ ରହିଛି ବୋଲି ଅନ୍ୟତମ ଭୂତାଣୁ ବିଶେଷଜ୍ଞ ପିଟର ହୋଟେଜ୍ ଆଶଙ୍କା ବ୍ୟକ୍ତ କରିଛନ୍ତି। ଗତ ଫେବ୍ରୁଆରି ମାସରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ପ୍ରେରିତ ବିଶେଷଜ୍ଞ ଦଳର ଚୀନ୍ ଗସ୍ତ ଅନୁଧ୍ୟାନରୁ ଉକ୍ତ ଭୂତାଣୁ କୌଣସି ବିଜ୍ଞାନାଗାରରୁ ଖସି ଆସି ନଥାଇପାରେ ବୋଲି ମାର୍ଚ୍ଚରେ ଦାଖଲ ହୋଇଥିବା ରିପୋର୍ଟରେ କୁହାଯାଇଛି। ମାତ୍ର ଭୂତାଣୁର ଉତ୍ପତ୍ତି ସମ୍ପର୍କରେ କୌଣସି ସୂଚନା ନାହିଁ କି ଠୋସ୍ ବିବୃତି ନାହିଁ। ସୁତରାଂ ଚୀନ୍ ଉପରେ ବିଶ୍ବସ୍ତରୀୟ ଚାପ ପକାଇ ସହଯୋଗ ଭିତ୍ତିରେ କୋଭିଡ୍-୧୯ର ଉତ୍ପତ୍ତି ସ୍ଥଳ ଖୋଜିବାକୁ ହେବ ବୋଲି ସେମାନେ ପରାମର୍ଶ ଦେଇଛନ୍ତି। ଏଥି ପାଇଁ ବିଶିଷ୍ଟ ଭୂତାଣୁ ବିଶେଷଜ୍ଞ ଓ ବୈଜ୍ଞାନିକମାନଙ୍କୁ ସ୍ବାଧୀନ ତଥା ଦୀର୍ଘକାଳୀନ ଅନୁଧ୍ୟାନ ପାଇଁ ଚୀନ୍ର ସମର୍ଥନ ରହିବା ଜରୁରୀ। ଏଥି ସହିତ ସେଠାରେ ବିଭିନ୍ନ ନାଗରିକ ଓ ପଶୁପକ୍ଷୀଙ୍କର ନମୁନା ସଂଗ୍ରହ ପାଇଁ ମଧ୍ୟ ଅନୁମତି ମିଳିବା ଆବଶ୍ୟକ ବୋଲି ସେମାନେ କହିଛନ୍ତି।