ମିଚିଗାନ: ଗତକାଲି ଜଣେ ୧୫ବର୍ଷିୟ ଛାତ୍ର ଆମେରିକାର ମିଚିଗାନ ସ୍ଥିତ ଏକ ହାଇସ୍କୁଲରେ ଆଖିବୁଜା ଗୁଳିମାଡ଼ କରିବାରୁ ୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୮ଜଣ ଆହତ ହୋଇଛନ୍ତି । ଓକଲ୍ୟାଣ୍ଡ କାଉଣ୍ଟି ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତକାଲି ମଧ୍ୟାହ୍ନରେ ଅକ୍ସଫୋର୍ଡ ହାଇସ୍କୁଲରେ କ୍ଲାସ୍ ଚାଲିଥିବା ବେଳେ ଏହି ଆକ୍ରମଣ ହୋଇଛି।
ମୃତକମାନରେ ମଧ୍ୟରେ ଜଣେ ୧୬ ବର୍ଷିୟ ଛାତ୍ର ଥିବା ବେଳେ ଅନ୍ୟ ଦୁଇ ଜଣ ୧୪ ଏବଂ ୧୭ ବର୍ଷିୟା ଛାତ୍ରୀ ଅଟନ୍ତି। ଏଥିସହ ଆହତ ହୋଇଥିବା ୮ ଜଣଙ୍କ ମଧ୍ୟରେ ଜଣେ ଶିକ୍ଷକ ମଧ୍ୟ ଅଛନ୍ତି। ତାଙ୍କ ମଧ୍ୟରୁ ୬ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ବେଳେ ଅନ୍ୟଦୁଇ ଆହତଙ୍କ ଅସ୍ତ୍ରୋପଚାର କରାଯାଇଛି। ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇ ଉକ୍ତ ବନ୍ଧୁକ ଜବତ କରାଯାଇଛି।
ଉକ୍ତ ଘଟଣା ସମ୍ପର୍କରେ ମିନେସୋଟା ଗସ୍ତ ସମୟରେ ରାଷ୍ଟ୍ରପତି ଜୋ ବାଇଡେନ୍ ସୂଚନା ଦିଆଯାଇଥିବା ବେଳେ ସେ ଦୁଃଖ ପ୍ରକାଶ କରି ମୃତକ ଏବଂ ଆହତଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ପୂର୍ବରୁ ଆମେରିକାର ବିଦ୍ୟାଳୟରେ ହୋଇଥିବା ଗୁଳିକାରେ ୨୬ ଜଣଙ୍କର ମୃତ୍ୟୁ ଘଟିଥିଲା।
ଏପ୍ରିଲ୍ ୨୦୦୭ରେ ଭର୍ଜିନିଆର ବ୍ଲାକ୍ବର୍ଗର ଭର୍ଜିନିଆ ଟେକ୍ ଠାରେ ହୋଇଥିବା ଆକ୍ରମଣରେ ଆକ୍ରମଣକାରୀ ସମେତ ୩୩ ଜଣଙ୍କର ମୃତ୍ୟୁ ଘଟିଥିଲା। ୨୦୧୨ ମସିହା ଡିସେମ୍ବରରେ କନେକ୍ଟିକଟ ନ୍ୟୁଟାଉନ୍ ସ୍ଥିତ ସ୍ୟାଣ୍ଡି ହୁକ୍ ପ୍ରାଥମିକ ବିଦ୍ୟାଳୟରେ ୨୮ ଜଣଙ୍କର ମୃତ୍ୟୁ ଘଟିଥିଲା। ଦେଶରେ ସାଧାରଣ ନାଗରିକଙ୍କ ପାଖରେ ୪୦୦ ନିୟୁତ ବନ୍ଧୁକ ଥିବାରୁ ଏଥିରେ ନିୟନ୍ତ୍ରଣ କଡ଼ାକଡ଼ି ନହେଲେ ଏଭଳି ଘଟଣା ବାରମ୍ବାର ଘଟିବ ବୋଲି ବିଭିନ୍ନ ସଂଗଠନ ସରକାରଙ୍କୁ ସତର୍କ କରାଇ ଦେଇଛନ୍ତି।