ଆମେରିକା ଗୁଇନ୍ଦା ରିପୋର୍ଟ: ଭାରତକୁ ଉତ୍ତେଜିତ କରୁଛି ଚୀନ୍‌

ଆମ ଯବାନ ସଂଯମ ଅବଲମ୍ବନ କରିଛନ୍ତି: ଭାରତୀୟ ସେନା

ଵାସିଂଟନ: ପୂର୍ବ ଲଦାଖର ପାଙ୍ଗଙ୍ଗ ସୋ ହ୍ରଦର ଦକ୍ଷିଣ ଉପକୂଳରେ ଚୀନ ସେନା କରିଥିବା ସଦ୍ୟ ଅତିକ୍ରମଣ ଉଦ୍ୟମ କେବଳ ଭାରତକୁ ଉସୁକାଇବା ପାଇଁ ଉଦ୍ଦିଷ୍ଟ ବୋଲି ଆମେରିକୀୟ ଗୁଇନ୍ଦା ବିଭାଗ କହିଛି। ପ୍ରତିପକ୍ଷ ସହ ମୁହାଁମୁହିଁ ସ୍ଥିତି ଆସନ୍ନ ହେଉଥିବା ସମୟରେ ଆଞ୍ଚଳିକ ଚୀନୀ ସାମରିକ ଅଧିକାରୀମାନଙ୍କ ସେନା ପ୍ରତ୍ୟାହାର ନିଷ୍ପତ୍ତି ବେଜିଂ ପ୍ରଶାସନକୁ ଭୀଷଣ କ୍ଷୁବ୍‌ଧ କରିଛି ବୋଲି ଏହି ରିପୋର୍ଟରେ କୁହାଯାଇଛି।

ଅପରପକ୍ଷେ, ଭାରତୀୟ ଯବାନମାନେ ନିଜର ସାର୍ବଭୌମତ୍ବର ସୁରକ୍ଷା କରି ଟିକିଏ ବି ଜାଗା ହରାଇନଥିବା ଘଟଣା ମଧ୍ୟ ଚୀନ୍‌କୁ ବେଶୀ ବ୍ୟଥିତ କରିଛି। ଆମେରିକୀୟ ଗୁଇନ୍ଦା ରିପୋର୍ଟ ଅନୁଯାୟୀ, ଆଲୋଚନାର କେନ୍ଦ୍ରବିନ୍ଦୁ ସାଜିଥିବା ପାଙ୍ଗଙ୍ଗ ସୋ ହ୍ରଦ ଅଞ୍ଚଳ ହେଉଛି ହିମାଳୟର ଅତ୍ୟୁଚ୍ଚ ସ୍ଥାନରେ ଅବସ୍ଥିତ ଯାହା କି ଭାରତୀୟ ନିୟନ୍ତ୍ରଣ ସୀମା ଭିତରେ ରହିଛି। ସୁତରାଂ ଏଭଳି ଉଚ୍ଚ ସ୍ଥାନରେ ନିଜର ଯବାନମାନଙ୍କୁ ଅବସ୍ଥାପିତ କରି ଭାରତ ଏକ ସୁବିଧାଜନକ ସ୍ଥିତିରେ ରହିଛି। ଏହି ଉଚ୍ଚ ପାର୍ବତ୍ୟାଞ୍ଚଳରେ ଭାରତୀୟ ସେନା ନିଜର ସ୍ଥିତି ସୁଦୃଢ଼ କରି ଚୀନୀ ସେନାର ଯାବତୀୟ ଗତିବିଧିକୁ ଠଉରେଇ ପାରୁଛି। ତେଣୁ ଏଥିରେ ବିଶୃଙ୍ଖଳା ସୃଷ୍ଟି କରି କୌଣସି ମତେ ଭାରତୀୟ ଉପସ୍ଥିତିକୁ ସେଠାରୁ ହଟାଇବା ପାଇଁ ଚୀନୀ କର୍ତ୍ତୃପକ୍ଷ ଉଦ୍ଦେଶ୍ୟମୂଳକ ଭାବେ ସେଠାରେ ଗତମାସରେ ଦୁଇ ଥର ଏପରି ଅତିକ୍ରମଣ ଉଦ୍ୟମ କରିଥିଲା। ମାତ୍ର ଭାରତୀୟ ଯବାନମାନେ ଅନାୟାସରେ ସେମାନଙ୍କ ଏହି ଉଦ୍ୟମକୁ ପଣ୍ଡ କରିଦେଇଥିଲେ। କାରଣ ଜୁନ୍‌ ୧୫ ତାରିଖ ରାତିରେ ଲଦାଖର ଗଲଵାନ ଉପତ୍ୟକାରେ ରକ୍ତାକ୍ତ ସଂଘର୍ଷରେ ଭାରତ ୨୦ ଜଣ ଯବାନଙ୍କୁ ହରାଇବା ପରେ ପରବର୍ତ୍ତୀ ଯେ କୌଣସି ଚୀନୀ ପଦକ୍ଷେପକୁ ପ୍ରତିହତ କରିବା ପାଇଁ ଭାରତୀୟ ସେନା ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି ବୋଲି ଏହି ରିପୋର୍ଟରେ କୁହାଯାଇଛି।

ସେହିପରି ଗତ ପହିଲାରେ ମଧ୍ୟ ଚୀନୀ ସୈନିକମାନେ ପୁଣି ଥରେ ଅତିକ୍ରମଣ ଉଦ୍ୟମ କରିଥିଲେ। କେବଳ ଭାରତୀୟ ଯବାନମାନଙ୍କୁ ପ୍ରତିକ୍ରିୟା ଦେଖାଇବାକୁ ବାଧ୍ୟ କରି ଏକ ବଡ଼ ଧରଣର ସଂଘର୍ଷ ପାଇଁ ସେମାନେ ଉସୁକାଉଥିବା ଚର୍ଚ୍ଚା ହେଉଛି। ସୋମବାର ସନ୍ଧ୍ୟାରେ ମଧ୍ୟ ଅନୁରୂପ ଭାବେ ସେମାନେ ଭାରତୀୟ ଯବାନମାନଙ୍କୁ ଉତ୍ତେଜିତ କରିବା ପାଇଁ ବାଧ୍ୟ କରିଥିଲେ। ମାତ୍ର ପରିସ୍ଥିତି ପରିଚାଳନାରେ ପରିପକ୍ବତା ଦେଖାଇ ଭାରତୀୟ ସେନା ସାମାନ୍ୟତମ ଦ୍ବିପାକ୍ଷିକ ଆଲୋଚନାର ଉଲ୍ଲଂଘନ ନକରିବା ସହ ନିଜ ସାର୍ବଭୌମତ୍ବର ମଧ୍ୟ ସୁରକ୍ଷା କରି ଚାଲିଛନ୍ତି।

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଦେଖାଦେଇଥିବା ବିବାଦକୁ କେନ୍ଦ୍ର କରି ଭାରତ ଓ ଚୀନ୍‌ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ଜାରି ରହିଛି। ଏଭଳି ସ୍ଥିତିରେ ପାଙ୍ଗଙ୍ଗ ସୋ’ ହ୍ରଦର ଦକ୍ଷିଣ ତଟରେ ଭାରତୀୟ ଯବାନଙ୍କ କବ୍‌ଜାରେ ରହିଥିବା ଏକ ଗୁରୁତ୍ବପୂର୍ଣ୍ଣ ପର୍ବତ ଶିଖରକୁ ଦଖଲ କରିବା ଉଦ୍ଦେଶ୍ୟରେ ଚୀନୀ ସୈନିକମାନେ ସୋମବାର(୭ ତାରିଖ) ସନ୍ଧ୍ୟାରେ ମାଡ଼ି ଆସୁଥିଲେ। ତେବେ ସେମାନେ ଭାରତୀୟ ଯବାନମାନଙ୍କୁ ଭୟଭୀତ କରାଇବା ପାଇଁ ପ୍ରଥମେ ଗୁଳି ଚାଳନା କରିଥିଲେ। ମାତ୍ର ଅତ୍ୟନ୍ତ ସହନଶୀଳ ଭାରତୀୟ ଯବାନମାନେ କଠୋର ସଂଯମ ପ୍ରଦର୍ଶନ ପୂର୍ବକ ପରିପକ୍ବ ତଥା ଦାୟିତ୍ବପୂର୍ଣ୍ଣ ଢଙ୍ଗରେ ପରିସ୍ଥିତିର ମୁକାବିଲା କରିଥିଲେ। ପ୍ରତିପକ୍ଷ ଚୀନୀ ସେନାର ଉସୁକାଇବାରେ ଆଦୌ ଛଳି ନଯାଇ ପିପୁଲ୍‌ସ ଲିବରେସନ ଆର୍ମିର ଅଭିଯୋଗ ମୁତାବକ ଭାରତୀୟ ଯବାନମାନେ କୌଣସି ଗୁଳି ଫୁଟାଇ ନଥିଲେ କି ପ୍ରକୃତ ନିୟନ୍ତ୍ରଣ ରେଖା ଅତିକ୍ରମ କରିନଥିଲେ ବୋଲି ମଙ୍ଗଳବାର ସକାଳେ ଭାରତୀୟ ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି। ଅପରପକ୍ଷେ, ଚୀନୀ ସେନା ହିଁ ଉଦ୍ଦେଶ୍ୟମୂଳକ ଭାବେ ଯାବତୀୟ ରାଜିନାମାର ଉଲ୍ଲଂଘନ କରି ଅତିକ୍ରମଣକୁ ପ୍ରୋତ୍ସାହିତ କରିଚାଲିଛି। କିନ୍ତୁ ଏହାକୁ ଆଦୌ ବରଦାସ୍ତ କରାଯିବନି ବୋଲି ଭାରତୀୟ ସେନା ପକ୍ଷରୁ ଏକ ବକ୍ତବ୍ୟରେ କୁହାଯାଇଛି।

ସମ୍ବନ୍ଧିତ ଖବର