ଆମେରିକା ରାଷ୍ଟ୍ରପତି ନିର୍ବାଚନ, ବାଇଡେନ୍‌ଙ୍କ ବିଜୟ ସମ୍ଭାବନା ସତ୍ତ୍ବେ ସଂଶୟରେ ଦଳ

ଵାସିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଆଉ ମାତ୍ର ଦୁଇ ସପ୍ତାହ ଥିବା ବେଳେ ଡେମୋକ୍ରାଟିକ୍‌ ଦଳ ପ୍ରାର୍ଥୀ ଜୋ ବାଇଡେନ୍‌ ଲୋକପ୍ରିୟତାରେ ଅଗ୍ରଣୀ ରହିଛନ୍ତି। ଏଥି ସହିତ ତାଙ୍କ ପ୍ରତିଦ୍ବନ୍ଦ୍ବୀ ରିପବ୍ଲିକାନ୍‌ ଦଳ ପ୍ରାର୍ଥୀ ତଥା ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ଅପେକ୍ଷା ବାଇଡେନ୍‌ଙ୍କର ବିଜୟ ସମ୍ଭାବନା ଅଧିକ ରହିଥିବା ଜନମତରୁ ଜଣାଯାଇଛି। ତଥାପି ତାଙ୍କ ଡେମୋକ୍ରାଟିକ୍‌ ଦଳ ସଂଶୟରେ ରହିଥିବା ଜାଣିବାକୁ ମିଳିଛି।

ଏହା ପଛରେ ୨୦୧୬ ନିର୍ବାଚନ ବେଳେ ତାଙ୍କ ଦଳର ପ୍ରାର୍ଥୀ ହିଲାରି କ୍ଲିଣ୍ଟନ୍‌ଙ୍କ ଅନୁରୂପ ଲୋକପ୍ରିୟତା ସତ୍ତ୍ବେ ଟ୍ରମ୍ପ୍‌ଙ୍କ ବିଜୟ ହିଁ ମୁଖ୍ୟ କାରଣ ବୋଲି କୁହାଯାଉଛି। ଯାବତୀୟ ପ୍ରକାର ବିଶ୍ଳେଷଣ ଓ ପରିସଂଖ୍ୟାନରୁ ବାଇଡେନ୍‌ଙ୍କ ପଲା ଭାରୀ ରହିଛି। ତଥାପି ଟ୍ରମ୍ପ୍‌ଙ୍କ ନିର୍ବାଚନୀ ସଭାରେ ସମବେତ ହେଉଥିବା ସମର୍ଥକମାନଙ୍କ ବିଶାଳ ସଂଖ୍ୟା ହିଁ ବିରୋଧୀ ଡେମୋକ୍ରାଟମାନଙ୍କୁ ଏଭଳି ସନ୍ଦେହରେ ପକାଇଛି। କାରଣ କୋଭିଡ୍‌ ଯୋଗୁ ସାମାଜିକ ଦୂରତା ଆଦି କଟକଣାକୁ ବାଇଡେନ୍‌ ଗୁରୁତ୍ବ ଦେଉଥିବାରୁ ତାଙ୍କ ସମାବେଶରେ ଅପେକ୍ଷାକୃତ କମ୍‌ ଲୋକଙ୍କର ଭିଡ଼ ଦେଖିବାକୁ ମିଳିଛି। ଅପରପକ୍ଷେ, ନିଜ ପଠରେ ବିରୋଧୀମାନେ ଲଗାଇଥିବା ସଂକ୍ରମଣର ସୁପର‌ସ୍ପ୍ରେଡର ଛାପ ସତ୍ତ୍ବେ ଟ୍ରମ୍ପ୍‌ ଖୋଲାଖୋଲି ଭାବେ ଜନଗହଳି ଭିତରେ ନିଜକୁ ଆବିଷ୍କାର କରି ସମର୍ଥକମାନଙ୍କୁ ଆଲିଙ୍ଗନ ମୁଦ୍ରାରେ ଆପ୍ୟାୟିତ କରିବା ହିଁ ତାଙ୍କ ପ୍ରକାଶ୍ୟ ଲୋକପ୍ରିୟତାକୁ ସ୍ପଷ୍ଟ କରିଛି। ତେଣୁ ବିପକ୍ଷ ଡେମୋକ୍ରାଟ୍‌ମାନେ ସୋମାନଙ୍କ ପ୍ରାର୍ଥୀ ବାଇଡେନ୍‌ଙ୍କ ବିଜୟ ସମ୍ଭାବନାରେ ଆଗୁଆ ଖୁସି ମନାଇ ପାରୁନାହାନ୍ତି।

ସମ୍ବନ୍ଧିତ ଖବର