ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ୍ କି ବାଇଡେନ୍ ଯିଏ ଜିତିଲେ ବି ଚୀନ୍ ପାଇଁ ଅମଙ୍ଗଳ ବାର୍ତ୍ତା ଆଣିବ ବୋଲି ଅଧିକାଂଶ ଚୀନ୍ବାସୀ ଆଶଙ୍କା ପ୍ରକଟ କରିଛନ୍ତି। ମାତ୍ର ଭାରତ ପାଇଁ ଏ ସ୍ଥିତି ସମ୍ପୂର୍ଣ୍ଣ ଓଲଟା। ଅଧିକାଂଶ ଭାରତୀୟ ବିଶ୍ବାସ କରନ୍ତି ଯେ ହ୍ବାଇଟ୍ ହାଉସ୍ ଯିଏ ଦଖଲ କରୁନା କାହିଁକି, ଭାରତ ସହ ଆମେରିକାର ଦ୍ବିପାକ୍ଷିକ ସମ୍ପର୍କ ସେମିତି ବଳବତ୍ତର ରହିବ। ଅବଶ୍ୟ ଢାଞ୍ଚାରେ କିଛି ପରିବର୍ତ୍ତନ ଘଟିପାରେ, ମାତ୍ର ଦୁଇ ଦେଶର ସମ୍ବନ୍ଧ ବିକଶିତ ହୋଇସାରିଛି ଏବଂ ତାହା ନିଶ୍ଚୟ କାଏମ ରହିବ। ବିଭିନ୍ନ ପ୍ରସଙ୍ଗକୁ ତର୍ଜମା କଲେ ତାହା ସ୍ପଷ୍ଟ ଅନୁମେୟ। ଏପଟେ ଟ୍ରମ୍ପ୍ ଏଚ୍-୧ବି ଭିସା ଯୋଜନାକୁ ସ୍ଥଗିତ ରଖିଥିବା ବେଳେ ଭାରତୀୟମାନଙ୍କ ପାଇଁ ଗ୍ରିନ୍ କାର୍ଡ ସୁବିଧାର ବକେୟାକୁ ବଢ଼ାଇ ଦେଇଛନ୍ତି। ତେବେ ବାଇଡେନ୍ ଉଦ୍ୟୋଗର ଆବଶ୍ୟକତା ଅନୁସାରେ ଏଚ୍-୧ କୋଟାର ପୁନରୁଦ୍ଧାର କରିବାକୁ ଚାହାନ୍ତି। ସେହିପରି ସେ ଗ୍ରିନ୍ କାର୍ଡ ପ୍ରକ୍ରିୟାକୁ ସୁଗମ କରିବେ ବୋଲି ଆଶା କରାଯାଉଛି। ସେହିପରି ବାଇଡେନ୍ ମଧ୍ୟ ଭାରତ ସୀମାରେ ଚୀନ୍ର ଅତିକ୍ରମଣକୁ ବିରୋଧ କରିବା ସହ ସୀମାପାର ଆତଙ୍କବାଦ ବିରୋଧରେ ଭାରତକୁ ସମର୍ଥନ କରିବେ।
ଅପରପକ୍ଷେ, ଦକ୍ଷିଣ ଚୀନ୍ ସାଗରରେ ଚୀନ୍ର ଏକଚାଟିଆ କାରବାରକୁ ଟ୍ରମ୍ପ୍ ଭଙ୍ଗ କରିଦେବେ। ସେଥିପାଇଁ ବିଦେଶ ସଚିବ ମାଇକ୍ ପମ୍ପେଓ ବିଶ୍ବ ତମାମ ବୁଲି ସହଯୋଗୀ ଯୋଗାଡ଼ କରୁଛନ୍ତି। ସେହିପରି ମଧ୍ୟ ପ୍ରାଚ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ମଧ୍ୟ ଟ୍ରମ୍ପ୍ ଗୁରୁତ୍ବ ଦେବେ। ଭାରତ ସହ ଅଧିକ ବାଣିଜ୍ୟ କାରବାର ହେବ। ଆତଙ୍କବାଦ ପ୍ରସଙ୍ଗରେ ଟ୍ରମ୍ପ୍ ମଧ୍ୟ ଅନୁରୂପ ଆଭିମୁଖ୍ୟ ରଖିବେ। ସେହିପରି ଏଚ୍-୧ବି ଭିସା ପ୍ରସଙ୍ଗରେ ଟ୍ରମ୍ପ୍ ପ୍ରଶାସନ ନିଜ ନିଷ୍ପତ୍ତିର ପୁନର୍ବିଚାର କରିବା ଆରମ୍ଭ କରିଛନ୍ତି। ତେବେ ବାଇଡେନ୍-ହାରିସ୍ଙ୍କ ବିଜୟ ଭାରତ ପାଇଁ ଅଧିକାର ଭିତ୍ତିକ ପ୍ରସଙ୍ଗରେ ଅପେକ୍ଷାକୃତ ସୁବିଧା ସ୍ଥିତିରେ ରଖିବ। ଅବଶ୍ୟ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗ ସମେତ ଭାରତରୁ ଦକ୍ଷ କୁଶଳୀ ପ୍ରଯୁକ୍ତିବିତ୍ଙ୍କ ଆଗମନକୁ ବାଇଡେନ୍ ସମର୍ଥନ କରିପାରନ୍ତି, ମାତ୍ର ଧାର୍ମିକ ସହନଶଳୀଳତା ପ୍ରସଙ୍ଗରେ ସେ ଖୁବ୍ କଠୋର ହେବା ଆଶଙ୍କା ରହିଛି। ବାଇଡେନ୍ଙ୍କ ଇରାନ୍ ନୀତି ମଧ୍ୟ ଭାରତକୁ ସୁହାଇବ ବୋଲି କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/8f97h9sf8h7s98f7s98fhfhsfhfhfhsfhsfhfh.jpg)