ଆମେରିକା ରାଷ୍ଟ୍ରପତି ନିର୍ବାଚନ : ବାଇଡେନ୍‌ ବିଜୟୀ

ଭାରତୀୟ ବଂଶୋଦ୍ଭବ କମଳା ହାରିସ୍‌ ଉପରାଷ୍ଟ୍ରପତି, ପରାଜୟ ସ୍ୱୀକାର କରିବାକୁ ଟ୍ରମ୍ପ ନାରାଜ୍‌

ୱାସିଂଟନ : ଡେମୋକ୍ରାଟିକ୍‌ ଦଳର ପ୍ରାର୍ଥୀ ଜୋ ବାଇଡେନ୍‌ ଆମେରିକାର ନୂଆ (୪୬ତମ) ରାଷ୍ଟ୍ରପତି ହେବେ। ରାଷ୍ଟ୍ରପତି ନିର୍ବାଚନରେ ‌ସେ ରିପବ୍ଲିକାନ ପ୍ରାର୍ଥୀ ତଥା ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହରାଇଛନ୍ତି। ଗୁରୁତ୍ବପୂର୍ଣ୍ଣ ରାଜ୍ୟ ପେନସ‌ାଲଭାନିଆରେ ନିର୍ବାଚିତ ହେବାପରେ ବାଇଡେନ୍ ନିଜର ବିଜୟ ଘୋଷଣା କରିଛନ୍ତି। ଏହାସହିତ ଭାରତୀୟ ବଂଶୋଦ୍ଭବ କମଳା ହାରିସ ଉପରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ଏହି ପଦବି ଗ୍ରହଣ କରିବ‌‌ାରେ ସେ ହେବେ ଆମେରିକାର ପ୍ରଥମ ମହିଳା। ତେବେ ପରାଜୟ ସ୍ବୀକାର କରିବାକୁ ଟ୍ରମ୍ପ ମନା କରିଦେଇଛନ୍ତି। ସେ ପ୍ରଶ୍ନ କରିଛନ୍ତି ଯେ ଭୋଟ ଗଣତି ଆହୁରି ବାକି ଥିବା ବେଳେ ବାଇଡେନ୍ ନିଜକୁ ରାଷ୍ଟ୍ରପତି ଘୋଷଣା କରିବ‌ାକୁ ଏତେ ତରବର କାହିଁକି ହେଉଛନ୍ତି?

ଭୋଟ୍‌ ଗ୍ରହଣର ୪ ଦିନ ପରେ ବି ୪ଟି ଗୁରୁତ୍ବପୂର୍ଣ୍ଣ ରାଜ୍ୟରେ ଗଣତି ଜାରି ରହିଛି ଏବଂ ଆନୁଷ୍ଠାନିକ ଭାବେ ଅନେକ ରାଜ୍ୟର ଫଳାଫଳ ଘୋଷଣା ହୋଇନାହିଁ। ରାଷ୍ଟ୍ରପତି ନିର୍ବାଚନର ଚୂଡ଼ାନ୍ତ ଫଳାଫଳକୁ ନେଇ ସ୍ଥିତି ସ୍ପଷ୍ଟ ହୋଇନଥିଲେ ମଧ୍ୟ ଡେମୋକ୍ରାଟିକ୍‌ ଦଳର ପ୍ରାର୍ଥୀ ବାଇଡେନ୍‌ ମ୍ୟାଜିକ୍‌ ନମ୍ବର ୨୭୦କୁ ଅତିକ୍ରମ କରିଛନ୍ତି। ପେନ୍‌ସିଲଭାନିଆରେ ବିଜୟ ସହିତ ଏହି ସଂଖ୍ୟା ୨୭୩ରେ ପହଞ୍ଚିଛି। ଅନ୍ୟପକ୍ଷରେ ରାଷ୍ଟ୍ରପତି ତଥା ରିପବ୍ଲିକାନ ଦଳ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍‌ ୨୧୪ ଇଲେକ୍ଟୋରାଲ ଭୋଟ୍‌ ସହିତ ବହୁତ ପଛରେ ରହିଥିଲେ ବି ଆଜି ମଧ୍ୟ ନିଜର ବିଜୟ ଦାବିକୁ ଦୋହରାଇଛନ୍ତି। ପ୍ରମୁଖ ରାଜ୍ୟଗୁଡ଼ିକରେ ଟ୍ରମ୍ପ୍‌-ବାଇଡେନ୍‌ଙ୍କ ମଧ୍ୟରେ ଅତ୍ୟନ୍ତ କଡ଼ା ମୁକାବିଲା ହୋଇଛି।

ବାଇଡେନ୍‌ ଆଜି କହିଛନ୍ତି ଯେ ଆନୁଷ୍ଠାନିକ ଭାବେ ‌ଫଳାଫଳ ଘୋଷଣା ବେଳକୁ ତାଙ୍କର ଇଲେକ୍ଟୋରାଲ ଭୋଟ୍‌ ସଂଖ୍ୟା ୩ ଶହ ଅତିକ୍ରମ କରିଯାଇଥିବ। ଏହା ସହିତ ବାଇଡେନ୍‌ ହ୍ବାଇଟ୍‌ ହାଉସ୍‌ରେ କ୍ଷମତା ଦଖଲ ପ୍ରକ୍ରିୟା ପାଇଁ ଏବେ ନିଜ ଟିମ୍‌କୁ ପ୍ରସ୍ତୁତ ରହିବାକୁ କହିଛନ୍ତି। ସୁରୁଖୁରୁରେ କିଭଳି କ୍ଷମତା ହାସଲ ପର୍ବ ଅନୁଷ୍ଠିତ ହେବ ସେଥିପାଇଁ ରଣନୀତି ପ୍ରସ୍ତୁତ ହେଉଛି। ବାଇଡେନ୍‌ ନିଜର ୫ ଜଣ ବରିଷ୍ଠ ସହଯୋଗୀଙ୍କୁ ଏହି ଦାୟିତ୍ବ ଅର୍ପଣ କରିଛନ୍ତି ଏବଂ ସେମାନେ ଏ ବାବଦ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି।

୭୭ ବର୍ଷୀୟ ବାଇଡେନ୍‌ ଏବେ ଚୂଡ଼ାନ୍ତ ପର୍ଯ୍ୟାୟ ଗଣତିରେ ୫ଟି ଗୁରୁତ୍ବପୂର୍ଣ୍ଣ ରାଜ୍ୟରୁ ୩ ଟିରେ ଅଗ୍ରଣୀ ଅଛନ୍ତି ଏବଂ ଗୋଟିଏ (ପେନ୍‌ସିଲଭାନିଆ)ରେ ବିଜୟୀ ହୋଇଛନ୍ତି। ଟ୍ରମ୍ପ୍‌ ଏରିଜୋନାରେ ବାଇଡେନ୍‌ଙ୍କଠାରୁ ୩୮,୪୫୫ ଭୋଟ୍‌ ପଛରେ ରହିଥିବା ବେଳେ ଜର୍ଜିଆରେ ମଧ୍ୟ ୪୨୨୪ ଭୋଟ୍‌ ପଛରେ ଅଛନ୍ତି। ନେଭାଦାରେ ମଧ୍ୟ ବାଇଡେନ୍‌ ଟ୍ରମ୍ପ୍‌ଙ୍କଠାରୁ ୨୨ ହଜାରରୁ ଅଧିକ ଭୋଟ୍‌ରେ ଆଗୁଆ ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଭୋଟ୍‌ଦାନରେ ବ୍ୟାପକ ଜାଲିଆତି, ଇ-ବ୍ୟାଲ୍‌ଟ ଗଣତିରେ ଷଡ଼ଯନ୍ତ୍ର ଆଦି ଅଭିଯୋଗ ଆଣି ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଏବେ ଅଦାଲତର ଆଶ୍ରୟ ନେଇଛନ୍ତି। ତେବେ ବିଭିନ୍ନ ରାଜ୍ୟରେ ଭୋଟ୍‌ ଗଣତି ଚାଲିଥିବା ବେଳେ ବାଇଡେନ ନିଜର ବିଜୟ ଘୋଷଣା କରି ବିଭ୍ରାନ୍ତି ବଢ଼ାଇଛନ୍ତି ବୋଲି ଟ୍ରମ୍ପ୍‌ କହିଛନ୍ତି। ଜର୍ଜିଆରେ ପୁନଃ ଭୋଟ୍‌ ଗଣତି ନିଷ୍ପତ୍ତି ହେବାପରେ ଏହାକୁ ନେଇ ଆଜି ଉତ୍ତେଜନା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର