ୱାସିଂଟନ: ଆସନ୍ତାକାଲି (ନଭେମ୍ବର ୩) ଆମେରିକାର ରାଷ୍ଟ୍ରପତି ନିର୍ବାଚନ। ୫୦ ଟି ରାଜ୍ୟରେ ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇ ସାରିଛି। ଦେଶର ୪୬ ତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁନର୍ବାର ତାଙ୍କ ରିପବ୍ଲିକାନ ଦଳ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ବିରୋଧରେ ଡେମୋକ୍ରାଟିକ ଦଳରୁ ପ୍ରାର୍ଥୀ ହୋଇଛନ୍ତି ଜୋ ବାଇଡେନ। ତେଣୁ ଟ୍ରମ୍ପ୍ ପୁଣି ଥରେ ନିର୍ବାଚିତ ହେବେ ନା ବାଇଡେନ୍ ରାଷ୍ଟ୍ରପତି ଚୌକିରେ ବସିବେ ତାହା ଆସନ୍ତାକାଲି ହିଁ ସ୍ପଷ୍ଟ ହୋଇଯିବ। କରୋନା ମହାମାରୀ ମଧ୍ୟରେ ଚଳିତ ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ଖୁବ୍ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। ମହାମାରୀ ପାଇଁ ଟ୍ରମ୍ପ୍ଙ୍କୁ ଚଳିତଥର ଅଧିକ ଚ୍ୟାଲେଂଜ ସାମ୍ନା କରିବାକୁ ପଡ଼ିଛି। ମହାମାରୀ ମଧ୍ୟରେ ଆମେରିକୀୟ ମାନେ ଟ୍ରମ୍ପ୍ଙ୍କୁ ପ୍ରତ୍ୟାଖ୍ୟାନ କରିବେ କି ପୁଣିଥରେ ସ୍ବାଗତ କରିବେ ତାହା ଫଳ ପ୍ରକାଶ ପରେ ସ୍ପଷ୍ଟ ହେବ। ସେହିଭଳି ରିପବ୍ଲିକ୍ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ ହେଉଛନ୍ତି ମାଇକ୍ ପେନ୍ସ। ସେ ମଧ୍ୟ ବର୍ତ୍ତମାନ ଆମେରିକାର ଉପରାଷ୍ଟ୍ରପତି ଅଛନ୍ତି। ଅନ୍ୟପକ୍ଷେ ଡେମୋକ୍ରାଟିକ୍ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ ଭାରତୀୟ ବଂଶୋଦ୍ଭବ କମଳା ହାରିସ୍ ହୋଇଛନ୍ତି। ଉପରାଷ୍ଟ୍ରପତି ପ୍ରାର୍ଥୀ କମଳା ହାରିସ୍ କାଲିଫର୍ଣ୍ଣିଆର ପୂର୍ବତନ ଆଟର୍ଣ୍ଣି ଜେନେରାଲ୍।
ଏକ ଜନମତ ସର୍ଭେରୁ ଜଣାପଡ଼ିଛି,, ଟ୍ରମ୍ପ୍ କେବଳ ୨ଟି ରାଜ୍ୟରେ ଆଗୁଆ ଅଛନ୍ତି। ଅର୍ଥାତ୍ ଟ୍ରମ୍ପ୍ଙ୍କ ପାଇଁ ଅଧିକ ଚ୍ୟାଲେଂଜ ରହିଛି। ୬ଟି ରାଜ୍ୟ ଫ୍ଲୋରିଡା, ପେନସିଲଭାନିଆ, ଓହିଓ, ମିଚିଗାଓଁ, ଉତ୍ତର କାରୋଲିନା, ଆରିଜୋନା, ୱିସକନସିନ୍ ଏବଂ ଆଇୱା ଉପରେ କଡ଼ା ନଜର ରହିଛି। ଏହି ୬ ପ୍ରମୁଖ ରାଜ୍ୟରୁ ଅଧିକାଂଶ ଭୋଟର ୨୦୧୬ ନିର୍ବାଚନରେ ଟ୍ରମ୍ପ୍ଙ୍କୁ ସମର୍ଥନ କରିଥିଲେ। ଜଣେ ପ୍ରାର୍ଥୀ କେତେ ଲୋକପ୍ରିୟ ତାହା ଜାତୀୟ ସର୍ଭେ ସୂଚନା ଦେଇଥାଏ। ମାତ୍ର ନିର୍ବାଚନ ଫଳାଫଳର ପୂର୍ବାନୁମାନ କରିବା ଏତେ ସହଜ ନୁହେଁ। ଜାତୀୟ ସର୍ଭେ ଅନୁସାରେ ୨୦୧୬ରେ ହିଲାରି କ୍ଲିଣ୍ଟନ ଆଗୁଆ ଥିଲେ। ଡୋନାଲ୍ଡ ଟ୍ରମ୍ପ୍ଙ୍କ ତୁଳନାରେ ପ୍ରାୟ ତିନି ନିୟୁତ ଅଧିକ ଭୋଟ୍ ପାଇଥିଲେ। ଏହା ସତ୍ତ୍ବେ ବି ସେ ହାରି ଯାଇଥିଲେ। ଆମେରିକା ଏକ ନିର୍ବାଚନୀ କଲେଜ ବ୍ୟବସ୍ଥା ଆପଣେଇଥାଏ। ଏହି ବ୍ୟବସ୍ଥାରେ ସର୍ବାଧିକ ଭୋଟ୍ ପାଇଥିବା ପ୍ରାର୍ଥୀଙ୍କୁ ମଧ୍ୟ ପରାଜିତ ହେବାକୁ ପଡ଼ିଥାଏ। ଜାତୀୟ ସର୍ଭେରେ ଜୋ ବାଇଡେନ୍ ଟ୍ରମ୍ପ୍ଙ୍କଠାରୁ ଆଗରେ ଅଛନ୍ତି। ଗତ କିଛିମାସ ମଧ୍ୟରେ ବାଇଡେନ୍ ୫୦ ପ୍ରତିଶତ ଆଗକୁ ଯାଇଛନ୍ତି ଏବଂ ୧୦ ପଏଣ୍ଟ ଆଗୁଆ ଅଛନ୍ତି। ଚଳିତ ନିର୍ବାଚନ ୨୦୧୬ ନିର୍ବାଚନ ଭଳି ଗତି କରୁଥିବାରୁ ବାଇଡେନ୍ ଆଗୁଆ ଥାଇ ମଧ୍ୟ ବିଜୟୀ ହେବା ନେଇ ସନ୍ଦେହ ପ୍ରକାଶ ପାଇଛି। ମିଚିଗାନ୍, ପେନ୍ସିଲଭାନିଆ, ୱିସ୍କନ୍ସିନ୍ ଭଳି ପ୍ରଦେଶରେ ବାଇଡେନ୍ ଆଗୁଆ ଅଛନ୍ତି।
ୱାସିଂଟନ: ଆମେରିକା ନିର୍ବାଚନରେ ଗଣିତ ଖେଳ ଭାରି ଜଟିଳ। ଜନସାଧାରଣଙ୍କଠାରୁ ବିପୁଳ ଭୋଟ୍ ପାଇଲେ ମଧ୍ୟ ଜଣେ ପ୍ରାର୍ଥୀ ନିର୍ବାଚନ ଜିଣିପାରିବେନି। ଜଣେ ରାଷ୍ଟ୍ରପତି ପ୍ରାର୍ଥୀ ଯଦି ଇଲେକ୍ଟୋରାଲ୍ କଲେଜ୍ରୁ ୨୭୦ ଇଲେକ୍ଟୋରାଲ୍ ଭୋଟ୍ ପାଇପାରିବେନି ତେବେ ସେ କ୍ଷମତାକୁ ଆସିପାରିବେନି। ଏହି ୨୭୦ ସଂଖ୍ୟା ଅତି ଗୁରୁତ୍ବପୂର୍ଣ୍ଣ। ଇଲେକ୍ଟୋରାଲ୍ କଲେଜ୍ର ମୋଟ୍ ୫୩୮ଟି ଇଲେକ୍ଟୋରାଲ୍ ଭୋଟ୍ରୁ ୨୭୦ଟି ଭୋଟ୍ ଯଦି ଜଣେ ପାଇବେ ତେବେ ସେ ହିଁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇପାରିବେ। ଚଳିତ ନିର୍ବାଚନରେ ଟ୍ରମ୍ପ୍ଙ୍କ ପାଇଁ ଏହି ୨୭୦ ଇଲେକ୍ଟୋରାଲ୍ ଭୋଟ୍ ଜିତିବା ଏକପ୍ରକାର ଚ୍ୟାଲେଜିଂ ହୋଇଛି। କାଲିଫର୍ଣ୍ଣିଆରେ ସର୍ବାଧିକ ଇଲେକ୍ଟୋରାଲ୍ ଭୋଟ୍ ୫୫ ଥିବାବେଳେ ଟେକ୍ସାସ୍ରେ ୩୮ ଟି ଇଲେକ୍ଟୋରାଲ୍ ଭୋଟ୍ ଅଛି। ଜଣେ ପ୍ରାର୍ଥୀ ଯଦି ନ୍ୟୁୟର୍କ ଏବଂ ଫ୍ଲୋରିଡ଼ାରୁ ଜିତିବେ ତେବେ ସେ ୨୯ଟି ଇଲେକ୍ଟୋରାଲ୍ ଭୋଟ୍ ପାଇପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/trump-and-biben.jpg)