ଓ୍ୱାସିଂଟନ : ମହିଳାଙ୍କ ତୁଳନାରେ ପୁରୁଷମାନଙ୍କୁ କରୋନା ଭୂତାଣୁ ଆକ୍ରାନ୍ତ କରିବାର ଆଶଙ୍କା ଅଧିକ ବୋଲି ଏକ ଗବେଷଣାରୁ ଜଣାଯାଇଛି। ବୟସ ଯାହା ହେଉ ନା କାହିଁକି ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ଠାରେ କୋଭିଡ୍ର ଲକ୍ଷଣ ଅଧିକ ଦେଖାଦେବା ସହ ପରିଣତି ମଧ୍ୟ ଅଧିକ କ୍ଷତିକାରକ ବୋଲି ଆମେରିକାର ୱେକ୍ ଫରେଷ୍ଟ୍ ବାପ୍ଟିଷ୍ଟ ମେଡିକାଲ ସେଣ୍ଟରର ଗବେଷକମାନେ ଦାବି କରିଛନ୍ତି। ବିଶେଷ କରି ମହିଳାମାନଙ୍କ ଶରୀରରେ ରହିଥିବା ଇଷ୍ଟ୍ରୋଜେନ୍ ନାମକ ଅନ୍ତଃସ୍ରାବୀ ରସ(ହର୍ମୋନ୍) ରକ୍ତରେ ରହିଥିବା ଆଞ୍ଜିଓଟେନ୍ସିନ୍ ନାମକ ଏକ ପ୍ରକାର ପ୍ରୋଟିନ୍ ହର୍ମୋନ୍ର ସ୍ତରକୁ କମାଇ ଦେଇଥାଏ ଯାହା କି ହୃତ୍ପିଣ୍ଡରେ ଏସିଇ-୨ ନାମକ ଏକ ପ୍ରକାର କ୍ବିଣକ(ଏଞ୍ଜାଇମ୍)କୁ ରୂପାନ୍ତରିତ ହୋଇଥାଏ। ଫଳରେ ଏହି ଏସିଇ-୨ ସ୍ତରରେ ହ୍ରାସ ହିଁ ମହିଳାଙ୍କ ଠାରେ କରୋନା ଭୂତାଣୁ ସାର୍ସ-କୋଭ୍-୨ର ପ୍ରାଦୁର୍ଭାବକୁ କମାଇ ଦେଇଥାଏ। ୱେକ୍ ଫରେଷ୍ଟ୍ର ପ୍ରମୁଖ ଗବେଷକ ଲିନେ ଗ୍ରାବାନ୍ଙ୍କ କହିବାନୁସାରେ, କରୋନା ଭୂତାଣୁ ଫୁସ୍ଫୁସ୍ ବ୍ୟତୀତ ହୃତ୍ପିଣ୍ଡକୁ ବି କ୍ଷତିଗ୍ରସ୍ତ କରିଥାଏ। ମହିଳାମାନଙ୍କ ଠାରେ ରହିଥିବା ଏହି ଇଷ୍ଟ୍ରୋଜେନ୍ ହିଁ ସେମାନଙ୍କୁ ହୃଦ୍ରୋଗରୁ ସୁରକ୍ଷା ଦେଇଥାଏ ବୋଲି ଆଗରୁ ଜଣାଅଛି। ସୁତରାଂ ପୁରୁଷ ଓ ମହିଳାଙ୍କ ମଧ୍ୟରେ ରହିଥିବା ଏହି ହର୍ମୋନ୍ଗତ ତାରତମ୍ୟ ଯୋଗୁ ପୁରୁଷମାନେ ବେଶି ମାତ୍ରାରେ ସାର୍ସ-କୋଭ୍-୨ ଦ୍ବାରା ଆକ୍ରାନ୍ତ ହେବାର ଆଶଙ୍କା ରହିବା ସ୍ବାଭାବିକ। ସୂଚନା ଥାଉ କି, ଉପରୋକ୍ତ ଏସିଇ-୨ ଏଞ୍ଜାଇମ୍ ସାଧାରଣତଃ ଶରୀରର ଫୁସ୍ଫୁସ, ହୃତ୍ପିଣ୍ଡ, ପ୍ରଶିରା, ବୃକକ୍ ଏବଂ ଅନ୍ତ୍ରାଶୟ ଆଦିର କୋଷଝିଲ୍ଲୀ ସହ ସଂଲଗ୍ନ ହୋଇ ରହିଥାଏ। ଏହି ଏସିଇ-୨ ମଧ୍ୟ କରୋନା ଭୂତାଣୁର କୋଷଗ୍ରାହୀ ଭାବେ କାର୍ଯ୍ୟକରି ଆଶ୍ରୟଦାତା ଶରୀରର ଉପରୋକ୍ତ ପ୍ରତ୍ୟଙ୍ଗ ପ୍ରଣାଳୀର କୋଷିକା ଭିତରକୁ ପ୍ରବେଶ କରାଇବାରେ ସହାୟକ ହେବା ସହ ସଂକ୍ରମଣ ରଚାଇଥାଏ। ତେବେ ଇଷ୍ଟ୍ରୋଜେନ୍ ମହିଳାଙ୍କ ଶରୀରରେ ଏସିଇ-୨ ସ୍ତରକୁ ହ୍ରାସ କରି ସେମାନଙ୍କର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରତ୍ୟଙ୍ଗକୁ କରୋନା ଭୂତାଣୁର ପ୍ରବେଶ ପ୍ରକ୍ରିୟାକୁ ମଧ୍ୟ ଧିମେଇ ଦେଇଥାଏ। ପୁରୁଷଙ୍କ ଠାରେ ଏସିଇ-୨ ସ୍ତର ଅଧିକ ରହିଥିବାରୁ ସେମାନେ କରୋନା ଭୂତାଣୁ ଦ୍ବାରା ଅପେକ୍ଷାକୃତ ଅଧିକ ସଂକ୍ରମିତ ହେବା ଆଶଙ୍କା ରହିଛି ବୋଲି କୁହାଯାଇଛି।