ଆମେରିକୀୟ ପରୀକ୍ଷଣ, ଆଷ୍ଟ୍ରାଜେନେକା ଟିକା ୭୯% ଫଳପ୍ରଦ

ଲଣ୍ଡନ : ଲଣ୍ଡନର ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଦ୍ବାରା ବିକଶିତ ତଥା ଆଷ୍ଟ୍ରାଜେନେକା କମ୍ପାନି ଦ୍ବାରା ପ୍ରସ୍ତୁତ କୋଭିଡ୍‌ ଟିକା ବିଶ୍ବର ସମ୍ପ୍ରତି ୫୦ରୁ ଅଧିକ ଦେଶରେ ବ୍ୟବହୃତ ହେଉଛି। ତେବେ ଏହାର ନିଶ୍ଚିତ ନିରାପଦତା ଓ ଫଳପ୍ରଦତାକୁ ଅପେକ୍ଷା କରି ଆମେରିକା ଅଦ୍ୟାବଧି ଉକ୍ତ ଟିକାକୁ ନିଜ ନାଗରିକମାନଙ୍କ ପାଇଁ ଅନୁମତି ଦେଇନାହିଁ। ଅବଶ୍ୟ ତାହା ଜାଣିବାକୁ ଆମେରିକା ୩୦ ହଜାର ସ୍ବେଚ୍ଛାସେବୀଙ୍କୁ ସାମିଲ କରି ଏକ ଉନ୍ନତ ପରୀକ୍ଷଣ ଚଳାଇଥିଲା ଏବଂ ତାହାର ଫଳାଫଳ ନିକଟରେ ଘୋଷିତ ହୋଇଛି। ତେବେ ଏହି ଆମେରିକୀୟ ଅନୁଧ୍ୟାନରୁ ଉକ୍ତ ଟିକା କୋଭିଡ୍‌ ଲକ୍ଷଣ କମାଇବାରେ ୭୯ ପ୍ରତିଶତ ଫଳପ୍ରଦ ଏବଂ ରୋଗୀକୁ ଗୁରୁତର ହେବାରୁ ବଞ୍ଚାଇବାରେ ଶତ ପ୍ରତିଶତ ସକ୍ଷମ ବୋଲି କମ୍ପାନି ପକ୍ଷରୁ ଦାବି କରାଯାଇଛି।

BBC

ସେହିପରି ଏହି ଟିକା ବୟସ୍କଙ୍କ ସମେତ ସବୁ ବର୍ଗର ଲୋକଙ୍କ ପାଇଁ ମଧ୍ୟ ନିରାପଦ ବୋଲି ଏହି ପରୀକ୍ଷଣରୁ ଜଣାଯାଇଛି। ପୂର୍ବରୁ ଉକ୍ତ ଆଷ୍ଟ୍ରାଜେନେକା ଟିକା ବୟସ୍କ ଲୋକଙ୍କୁ ସୁରକ୍ଷା ଦେବ କି ନାହିଁ ଏବଂ ଏହାର ଦ୍ବିତୀୟ ମାତ୍ରା ନେବାକୁ କେତେ ଦିନ ଲାଗିବ, ସେ ସମ୍ପର୍କରେ କିଛି ସ୍ପଷ୍ଟ ସୂଚନା ନଥିବାରୁ ଜର୍ମାନୀ, ଫ୍ରାନ୍ସ ଓ ବେଲଜିଅମ୍‌ ଆଦି ଡଜନେରୁ ଅଧିକ ଦେଶ ବୟସ୍କ ହିତାଧିକାରୀଙ୍କୁ ଟିକାକରଣରୁ ବଞ୍ଚିତ କରିଥିଲେ। ଆଷ୍ଟ୍ରାଜେନେକା ଟିକା ଭାରତରେ ବେଶ୍‌ ସଫଳ ପ୍ରମାଣିତ ହୋଇସାରିଛି।

ସମ୍ବନ୍ଧିତ ଖବର