ଦୁବାଇ: କରୋନାଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ଦୁବାଇକୁ ବିମାନ ଚଳାଚଳ ଉପରେ ଲାଗୁ କରାଯାଇଥିବା ପ୍ରତିବନ୍ଧକକୁ ହଟାଇଦିଆଯାଇଛି | ପ୍ରତିବନ୍ଧକ ହଟାଇବା ସହ ଆସନ୍ତା ସପ୍ତାହରୁ ଭାରତରୁ ଦୁବାଇକୁ ବିମାନ ଚଳାଚଳ ଆରମ୍ଭ ହେବ | ଆଜି ଏନେଇ ଘୋଷଣା କରିଛି ଏମିରେଟ୍ସ |
ୟୁନାଇଟେଡ଼ ଆରବ ଏମିରେଟ୍ସ ନୋବେଲ କରୋନାଭାଇରସର ବିସ୍ତାରକୁ ରୋକିବା ପାଇଁ ଏପ୍ରିଲରେ ଭାରତରୁ ସମସ୍ତ ବିମାନ ଉଡ଼ାଣ ଉପରେ ରୋକ ଲଗାଇଥିଲା | ତେବେ ଆଜି ଏମିରେଟ୍ସ ପକ୍ଷରୁ କୁହାଯାଇଛି ଯେ, ଆମେ ଜୁନ ୨୩ରୁ ଦକ୍ଷିଣ ଆଫ୍ରିକା, ନାଇଜେରିଆ ଏବଂ ଭାରତରୁ ଯାତ୍ରୀ ପରିବହନ ଆରମ୍ଭ କରିବୁ |
କିଛି ଘଣ୍ଟା ତଳେ ଦୁବାଇରେ ବାସ କରୁଥିବା ଭାରତ ସମେତ ଦକ୍ଷିଣ ଆଫ୍ରିକା ଓ ନାଇଜେରିଆ ଦେଶର ନାଗରିକମାନଙ୍କ ପାଇଁ ଦୁବାଇ ସରକାରୀ କର୍ତ୍ତୃପକ୍ଷମାନେ ଦେଶ ପ୍ରବେଶ ନିଷେଧ କଟକଣା କୋହଳ କରିଥିଲେ | ଦୁବାଇ ଯାତ୍ରା ପାଇଁ ଭାରତୀୟ ବ୍ୟକ୍ତି ବିଶେଷଙ୍କ ନିକଟରେ ବୈଧ୍ୟ ‘ରେସିଡେନ୍ସ୍ ଭିସା’ ଥିବା ଏକାନ୍ତ ଆବଶ୍ୟକ। ତା’ଛଡ଼ା ସେମାନେ ୟୁଏଇ ଅନୁମୋଦିତ’ ଦୁଇ ଡୋଜ୍ କୋଭିଡ୍-୧୯ ଟିକା ନେଇଥିବା ଉଚିତ। ‘ୟୁଏଇ’ ସରକାର ସମ୍ପ୍ରତି ‘ସାଇନୋଫାର୍ମ’, ‘ଫାଇଜର୍-ବାୟୋଏନ୍ଟେକ୍’, ‘ସ୍ପୁଟ୍ନିକ୍ ଭି’ ଏବଂ ‘ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା’ ଭଳି ୪ଟି କରୋନାଭାଇରସ୍ ନିରୋଧୀ ଟିକା ଅନୁମୋଦନ କରିଥିବା କଥା ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି।

କିନ୍ତୁ, ଦକ୍ଷିଣ ଆଫ୍ରିକା ଏବଂ ନାଇଜେରିଆରୁ ଅଣପ୍ରବାସୀମାନଙ୍କୁ ଦୁବାଇ ପ୍ରବେଶାନୁମତି ପ୍ରଦାନ କରାଯାଇଛି। ଏଥିପାଇଁ ସେମାନେ ଟିକାକରଣ ଓ ‘ପିସିଆର୍ ଟେଷ୍ଟ୍’ ସାର୍ଟିଫିକେଟ୍ ଦାଖଲ କରିବେ। ଦୁବାଇ ଭ୍ରମଣ ପାଇଁ ସ୍ବଦେଶ ଛାଡ଼ିବାର ୪୮ ଘଣ୍ଟା ପୂର୍ବରୁ ପରୀକ୍ଷା ହୋଇଥିବା ‘ପିସିଆର୍ ନେଗେଟିଭ୍’ ସାର୍ଟିଫିକେଟ୍ ଆବଶ୍ୟକ ବୋଲି କର୍ତ୍ତୃପକ୍ଷମାନେ କହିଛନ୍ତି।
ସେହିଭଳି, ଦୁବାଇକୁ ଆସିବାର ୪ ଘଣ୍ଟା ପୂର୍ବରୁ ଭାରତୀୟ ଯାତ୍ରୀମାନେ ‘ରାପିଡ୍ ପିସିଆର୍’ ଟେଷ୍ଟ୍ କରାଇବା ଆବଶ୍ୟକ। ଦୁବାଇ ପହଞ୍ଚିବା ପରେ ସେମାନଙ୍କୁ ପୁଣି ଥରେ ‘ପିସିଆର୍’ ଟେଷ୍ଟ୍ କରାଇବାକୁ ପଡ଼ିବ। ଏହାଛଡ଼ା, ଦୁବାଇ ‘ପିସିଆର୍’ ପରୀକ୍ଷା ଫଳ ବାହାରିବା ପର୍ଯ୍ୟନ୍ତ ସେମାନଙ୍କୁ ‘ସରକାରୀ କ୍ବାରେଣ୍ଟିନ୍ ସେଣ୍ଟର୍’ରେ ରହିବାକୁ ପଡ଼ିବ। ଅବଶ୍ୟ ୨୪ ଘଣ୍ଟା ମଧ୍ୟରେ ଦୁବାଇ ‘ପିସିଆର୍’ ପରୀକ୍ଷା ଫଳାଫଳ ପ୍ରକାଶ କରାଯିବ।
କିନ୍ତୁ, ‘ୟୁଏଇ’ ନାଗରିକମାନଙ୍କ ନିମନ୍ତେ ଉପରୋକ୍ତ ସର୍ତ୍ତାବଳି ପ୍ରଯୁଜ୍ୟ ନୁହେଁ। ସେମାନଙ୍କ କ୍ଷେତ୍ରରେ କେବଳ ‘କ୍ୟୁଆର୍-କୋଡେଡ୍ ନେଗେଟିଭ୍ ପିସିଆର୍ ଟେଷ୍ଟ୍ ସାର୍ଟିଫିକେଟ୍’ ଗ୍ରହଣୀୟ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି।