ନୂଆଦିଲ୍ଲୀ : ରାଜ୍ୟସଭାରେ ବେଆଇନ କାର୍ଯ୍ୟକଳାପ ନିରୋଧ (ସଂଶୋଧନ) ବିଲ ୨୦୧୯ ଗୃହୀତ ହୋଇଛି । ଏହି ବିଲ ଆଇନରେ ପରିଣତ ହେବା ପରେ କେନ୍ଦ୍ର ସରକାର କୌଣସି ବ୍ୟକ୍ତିକୁ ଆତଙ୍କବାଦୀ ଘୋଷଣା କରିପାରିବେ । ରାଜ୍ୟ ସଭାରେ ଏହି ଆଇନ ପକ୍ଷରେ ୧୪୭ଟି ଓ ବିରୋଧରେ ୪୨ଟି ଭୋଟ ପଡିଥିଲା । ଏହା ପୂର୍ବରୁ ବିଲ୍‌ର ଅଧିକ ତର୍ଜମା ପାଇଁ ଏହାକୁ ସିଲେକ୍ଟ କମିଟି ପଠାଇବାକୁ ବିରୋଧୀ ଦଳ ଆଣିଥିବା ପ୍ରସ୍ତାବ କାଟ ଖାଇଥିଲା । ଏହି ପ୍ରସ୍ତାବ ସପକ୍ଷରେ ୮୫ଟି ଓ ବିପକ୍ଷରେ ୧୦୪ଟି ଭୋଟ ପଡିଥିଲା । ଗୃହମନ୍ତ୍ରୀ ଅମିତ ଶାହା ଏହି ବିଲକୁ ରାଜ୍ୟସଭାରେ ଆଗତ କରିଥିଲେ ।

Advertisment

ଏନଆଇଏକୁ କେତେକ ସ୍ୱତନ୍ତ୍ର କ୍ଷମତା ମିଳିବ । ଏହା ଆଇନରେ ପରିଣତ ହେଲେ ସରକାର କୌଣସି ବ୍ୟକ୍ତିବିଶେଷ ବା ସଂସ୍ଥାକୁ ଆତଙ୍କବାଦୀ ଘୋଷଣା କରିପାରିବେ ଓ ଉକ୍ତ ବ୍ୟକ୍ତି ବା ସଂସ୍ଥାର ସଂପତ୍ତି ଜବତ କରିପାରିବେ । ଆତଙ୍କବାଦ ପରି କେତେକ ନିର୍ଦ୍ଦିଷ୍ଟ ତାଲିକାଭୁକ୍ତ ଅପରାଧ ପାଇଁ ଏନଆଇଏ ତଦନ୍ତ କରି ଦଣ୍ଡବିଧାନ କରିପାରିବ । ସେହିପରି କୌଣସି ରାଜ୍ୟ ପୁଲିସର ଅନୁମତି ବିନା ଏନଆଇଏ ଉକ୍ତ ରାଜ୍ୟରେ ପ୍ରବେଶ କରି ଆତଙ୍କବାଦ ସଂପର୍କିତ ମାମଲାର ତଦନ୍ତ କରିପାରିବ ।