ଇମ୍ଫାଲ : ଇମ୍ଫାଲ ବିମାନବନ୍ଦର ଉପରେ ଏକ ସଂଦିଗ୍ଧ ଉଡ଼ନ୍ତା ବସ୍ତୁ ଦେଖାଯିବା ପରେ ଆତଙ୍କ ଖେଳିଯାଇଛି। ଏଥିପାଇଁ ୩ଟି ବିମାନ ୩ ଘଣ୍ଟାରୁ ଅଧିକ ସମୟ ଧରି ଅଟକି ରହିଥିଲା ଏବଂ ୨ଟି ଆସୁଥିବା ବିମାନକୁ କୋଲକାତା ଅଭିମୁଖେ ଡାଇଭର୍ଟ କରାଯାଇଥିଲା। ବିମାନବନ୍ଦର କର୍ତ୍ତୃପକ୍ଷ ତୁରନ୍ତ ମଣିପୁରର ରାଜଧାନୀ ଇମ୍ଫାଲର ଆକାଶପଥ କୁ ବନ୍ଦ କରିବା ସହ ସମସ୍ତ ବିମାନ ଚଳାଚଳକୁ ସ୍ଥଗିତ ରଖିଥିଲେ।

Advertisment

ଏନଡିଟିଭିରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଏହି ଅଜଣାବସ୍ତୁ ଦେଖାଯିବା ପରେ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ (ଏଏଆଇ) ଭାରତୀୟ ବାୟୁସେନାକୁ ଆକାଶମାର୍ଗର ନିୟନ୍ତ୍ରଣ ହସ୍ତାନ୍ତର କରିଥିଲେ। ଯେ ପର୍ଯ୍ୟନ୍ତ ବାୟୁସେନା ପକ୍ଷରୁ ବାଣିଜ୍ୟିକ ବିମାନ ଉଡ଼ାଣ ପାଇଁ ଅନୁମତି ଦିଆଯାଇନାହିଁ ସେପର୍ଯ୍ୟନ୍ତ ଉଡ଼ାଣ ବିଳମ୍ବିତ ହେବ ।

ସୂତ୍ରରୁ ପ୍ରକାଶ ଯେ ଅପରାହ୍ନ ପ୍ରାୟ ୨ଟା ବେଳେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ (ଏଟିସି) ଏବଂ ଲୋକମାନେ ଏହି ଡ୍ରୋନକୁ ଦେଖିଥିଲେ, ଯାହା ପରେ ଏୟାର ଇଣ୍ଡିଆର ଦୁଇଟି ଏବଂ ଗୋଟିଏ ଇଣ୍ଡିଗୋ ବିମାନକୁ ଉଡ଼ାଣ ନ କରିବାକୁ କୁହାଯାଇଥିଲା। ଏହି ସମୟରେ ଆସୁଥିବା ଦୁଇଟି ବିମାନର ଗତିପଥ ପରିବର୍ତ୍ତନ କରାଯାଇଥିଲା।

ସର୍ବଶେଷ ସୂଚନା ଅନୁସାରେ, ଯେଉଁ ବିମାନଗୁଡ଼ିକୁ କୋଲକାତା ଡାଇଭର୍ଟ କରାଯାଇଥିଲା, ସେଗୁଡ଼ିକ ଆଜି ରାତିରେ ଇମ୍ଫାଲରେ ପହଞ୍ଚିବେ ।