ଉଦୟପୁରରେ ଦର୍ଜିଙ୍କୁ ଗଳାକାଟି ହତ୍ୟା ଘଟଣା: ସମଗ୍ର ରାଜସ୍ଥାନରେ ମାସକ ପାଇଁ ଲାଗିଲା ୧୪୪ ଧାରା

ଜୟପୁର(ରାଜସ୍ଥାନ): ରାଜସ୍ଥାନର ଉଦୟପୁରର ମାଲଦାସ ଅଞ୍ଚଳରେ ଜନୈକ ଦର୍ଜି କହ୍ନେୟାଲାଲ ତେଲିଙ୍କୁ ଗଳାକାଟି ହତ୍ୟା ପରେ ଘଟଣାକୁ ନେଇ ଉତ୍ତେଜକ ପରିସ୍ଥିତି ଦେଖାଦେଇଛି। ଫଳରେ ରାଜସ୍ଥାନ ସରକାର ସାରା ରାଜ୍ୟରେ ମାସକ ପାଇଁ ୧୪୪ ଧାରା ଜାରି କରିଛନ୍ତି। ଏଥି ସହିତ ଏକ ସ୍ବତନ୍ତ୍ର ଅନୁଧ୍ୟାନକାରୀ ଦଳ ଗଠନ କରାଯାଇଛି। ଏହି ଦଳରେ ସ୍ପେସାଲ ଅପରେଶନ ଗୃପର ଏଡିଜି ଅଶୋକ କୁମାର ରାଥୋର, ପୁଲିସ ଆଇଜି ତଥା ଆତଙ୍କବାଦ ନିରୋଧ ସ୍କ୍ବାର୍ଡର ପ୍ରଫୁଲ୍ଲ କୁମାର ଏବଂ ଜଣେ ଏସପି ରୢାଙ୍କର ଅଧିକାରୀ ଓ ଅତିରିକ୍ତ ଏସପି ପାହ୍ୟାର ଜଣେ ଅଧିକାରୀ ସାମିଲ ଥିବା ଏକ ଜାତୀୟ ଗଣ ମାଧ୍ୟମ ପକ୍ଷରୁ ସୂଚନା ମିଳିଛି।

ଉଦୟପୁର ଡିଭିଜନାଲ କମିଶନର ରାଜେନ୍ଦ୍ର ଭଟ୍ଟ ଶାନ୍ତି ବଜାୟ ରଖିବା ପାଇଁ ଲୋକଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ, ଉଦୟପୁର ନଗର ବିକାଶ ନିଗମ (ୟୁଆଇଟି)ରେ ମୃତକଙ୍କ ପରିବାରର ଜଣଙ୍କୁ ନିଯୁକ୍ତି ଦିଆଯିବ ଏବଂ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ। ଏହି ପରିପ୍ରେକ୍ଷୀରେ ଆଜମେର ଜିଲ୍ଲା ଏସପି ବିକାଶ ଶର୍ମା କହିଛନ୍ତି ଯେ, ଜିଲ୍ଲା ସମେତ ସାରା ରାଜ୍ୟରେ ୧୪୪ ଧାରା ଲାଗିଥିବାରୁ ବିଭିନ୍ନ ସଂଗଠନ ପକ୍ଷରୁ ହେବାକୁ ଥିବା ଶାନ୍ତି ପଦଯାତ୍ରାକୁ ବାତିଲ କରାଯାଇଛି। ସମସ୍ତ ପୁଲିସ ଅଧିକାରୀଙ୍କ ଛୁଟି ବାତିଲ କରାଯାଇ ରାଜ୍ୟର ବିଭିନ୍ନ ସ୍ଥାନରେ ପୁଲିସକୁ ଜାଗତିଆର ରଖାଯାଇଛି। ସେମାନେ ପ୍ରତି ମୁହୂର୍ତ୍ତରେ ଆଇନଶୃଙ୍ଖଳା ସଂକ୍ରାନ୍ତରେ ରିପୋର୍ଟ ଦେବେ। ଇତି ଅବସରରେ ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ଘଟଣାର ତଦନ୍ତ ଦାୟିତ୍ବ ନେଇଛି।

ଅଭିଯୁକ୍ତମାନେ ସମ୍ପୃକ୍ତ ଦର୍ଜିଙ୍କ ଗଳାକାଟି ହତ୍ୟା କରିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଜୀବନ ପ୍ରତି ବିପଦ ଥିବା ଧମକ ଦେଇଥିବାରୁ ଘଟଣାକୁ ଗୁରୁତ୍ବର ସହ ବିଚାର କରୁଛି ଏନଆଇଏ। ଉକ୍ତ ଘଟଣାରେ ପୁଲିସ ଦୁଇଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ମହମ୍ମଦ ରିଆଜ ଏବଂ ଗୋସ ମହମ୍ମଦ ବୋଲି ପୁଲିସ କହିଛି। ସୂଚନାଯୋଗ୍ୟ ଯେ, ରାଜସ୍ଥାନର ଉଦୟପୁରରେ ନୁପୁର ଶର୍ମାଙ୍କ ସମର୍ଥନରେ ଏକ ପୋଷ୍ଟ ଲେଖିଥିବାରୁ ଟେଲର କହ୍ନେୟାଲାଲ ତେଲିଙ୍କୁ ଗଳା କାଟି ହତ୍ୟା କରାଯାଇଥିଲା । ପୋଷାକ ସିଲେଇ କରିବା ବାହାନାରେ ଦୋକାନରେ ପ୍ରବେଶ କରିଥିବା ଏହି ଦୁଇ ଅଭିଯୁକ୍ତ ଅପରାଧ ଘଟାଇବା ସମୟରେ ମଧ୍ୟ ଏକ ଭିଡିଓ କରିଛନ୍ତି। ଭିଡିଓରେ ଦୁଇଜଣ ହତ୍ୟାକାରୀ ନିଜ ହାତରେ ଖଣ୍ଡା ଧରି ହସି ହସି ହତ୍ୟା କରିଥିବାର ସ୍ୱୀକାର ମଧ୍ୟ କରିଥିଲେ। ଏହି ଘଟଣା ପରେ ଅଭିଯୁକ୍ତମାନେ ଘଟଣାର ଭିଡିଓ ଜାରି କରିଥିଲେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଧମକ ଦେଇଥିଲେ, ଯାହାକି ସାରା ରାଜ୍ୟରେ ଉତ୍ତେଜକ ପରିସ୍ଥିତି ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର